ପୂରା ଦରମା ଦେଇନଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି

ଦରମା ଦେଇପାରୁନଥିବା କଂପାନି କୋର୍ଟଙ୍କୁ ହିସାବ ଖାତା ଦେଖାନ୍ତୁ: ସରକାର

ନୂଆଦିଲ୍ଲୀ: ଲକ୍‌ଡାଉନ୍ ସମୟରେ ଯେଉଁ ସଂସ୍ଥାଗୁଡ଼ିକ ନିଜ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେଇପାରିନାହାନ୍ତି ସେମାନଙ୍କ ବିରୋଧରେ ସରକାର ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ଏସ୍‌ କେ କୌଲ ଓ ଏମ୍‌ ଆର୍‌ ଶାହଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ସମୟରେ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦେବାକୁ ଗୃହ ମନ୍ତ୍ରଣାଳୟ ତରଫରୁ ଗତ ମାର୍ଚ୍ଚ ୨୯ରେ ଏକ ସର୍କୁଲାର ଜାରି କରାଯାଇଥିଲା। ସେହି ସର୍କୁଲାରକୁ କିଛି ସଂସ୍ଥା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ସମସ୍ୟା ହେଉଛି ଲକ୍‌ଡାଉନ୍ ସମୟରେ କର୍ମଚାରୀଙ୍କୁ ଦରମା ‌ନଦେଇ ଛାଡ଼ି ହେବନାହିଁ। କିନ୍ତୁ ଦରମା‌ ଦେବା ଲାଗି ଶିଳ୍ପ ସଂସ୍ଥା ପାଖରେ ଟଙ୍କାର ଅଭାବ ‌ଥାଇପାରେ। ତେଣୁ ଆମକୁ କର୍ମଚାରୀଙ୍କ ଦରମା ଓ ଶିଳ୍ପାନୁଷ୍ଠାନର ଆର୍ଥିକ ସ୍ଥିତି ଭିତରେ ସନ୍ତୁଳନ ରକ୍ଷା‌ କରିବାକୁ ପଡ଼ିବ। ତେବେ ନିଜ ନିଜର ଦାବିକୁ ସମର୍ଥନ କରି ଲିଖିତ ଭାବେ ଉତ୍ତର ଦେବାକୁ ସମସ୍ତ ପକ୍ଷଙ୍କୁ ଖଣ୍ଡପୀଠ କହିଛନ୍ତି।

ଆଜି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ମାର୍ଚ୍ଚ ୨୯ର ସର୍କୁଲାରକୁ ସମର୍ଥନ କରି ସତ୍ୟପାଠ ଦାଖଲ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଯେଉଁ କଂପାନିଗୁଡ଼ିକ ଦରମା ଦେବା ଲାଗି ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି ସେମାନଙ୍କ ଅଡିଟ୍ ହୋଇଥିବା ବାଲାନ୍ସ ସିଟ୍ ଓ ହିସାବ ଖାତା କୋର୍ଟରେ ଦାଖଲ କରିବା ଲାଗି ନିର୍ଦେଶ ଦିଆଯାଉ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ କର୍ମଚାରୀ ଓ ଶ୍ରମିକ, ବିଶେଷ କରି ଚୁକ୍ତିଭିତ୍ତିକ ଓ ଅସ୍ଥାୟୀ ଶ୍ରମିକମାନଙ୍କ ଆର୍ଥିକ ପୀଡ଼ାକୁ ଦୂର କରିବା ଲାଗି ଅସ୍ଥାୟୀ ପଦକ୍ଷେପ ଭାବେ ମାର୍ଚ୍ଚ ୨୯ର ସର୍କୁଲାର ଜାରି କରାଯାଇଥିଲା। ମେ’ ୧୮ ପରଠାରୁ ସମସ୍ତ ମାର୍ଗଦର୍ଶିକାକୁ ପ୍ରତ୍ୟାହାର କରିନିଆଯାଇଛି ବୋଲି ସରକାର କହିଛନ୍ତି। କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେଇପାରୁନଥିବା ସଂସ୍ଥାଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ମେ’ ୧‌୫ରେ ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ। ସେହି ଅବଧିକୁ ଏବେ ଜୁନ୍ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ମାମଲାର ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର