ନୂଆଦିଲ୍ଲୀ: ଭାର‌ତରେ ସାଟେଲାଇଟ୍ କମୁନିକେସନ (ସାଟ୍‌କମ୍‌) ପାଇଁ ଦିଆଯିବାକୁ ଥିବା ସ୍ପେକ୍ଟ୍ରମର ନିଲାମ ହେବନାହିଁ। ଦେଶର ପ୍ରମୁଖ ଟେଲିକମ୍‌ ଉଦ୍ୟୋଗୀ ଜିଓର ମୁକେଶ ଅମ୍ବାନି ଏବଂ ଏୟାରଟେଲ୍‌ର ସୁନୀଲ ଭାରତୀ ମିତ୍ତଲ ସ୍ପେକ୍ଟ୍ରମ ନିଲାମ ପାଇଁ ମତ ଦେଇ ଆସୁଥିଲେ। କିନ୍ତୁ ଆମେରିକାର ବିଶିଷ୍ଟ ଉଦ୍ୟୋଗୀ ତଥା ଷ୍ଟାରଲିଙ୍କ୍‌ର ସିଇଓ ଏଲନ୍‌ ମସ୍କ ଏହାକୁ ବିରୋଧ କରୁଥିଲେ। ତାଙ୍କ ମତରେ ବିଶ୍ବରେ ପ୍ରଶାସନିକ ଢାଞ୍ଚାରେ ଏହି ସ୍ପେକ୍ଟ୍ରମ ବଣ୍ଟନ କରାଯାଉଛି। ତେଣୁ ଭାରତରେ ମଧ୍ୟ ସେହି ପଦ୍ଧତି ଅନୁସରଣ କରାଯାଉ। ଏଭଳି ସ୍ଥିତିରେ ଭାରତ ସରକାର ମଧ୍ୟ ପ୍ରଶାସନିକ ଢାଞ୍ଚାରେ ସ୍ପେକ୍ଟ୍ରମ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଟେଲାଇଟ୍ ସ୍ପେକ୍ଟ୍ରମ ନିଲାମ ହେବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିବା ପରେ ମସ୍କ ଖୁସିବ୍ୟକ୍ତ କରିଛନ୍ତି। ଏ ନେଇ ସେ ଏକ ଟ୍ବିଟ୍‌ କରିଛନ୍ତି।  ସେଥିରେ ସେ ଲେଖିଛନ୍ତି ଅତ୍ୟନ୍ତ ପ୍ରଶଂସାଯୋଗ୍ୟ। ଭାରତର ଲୋକଙ୍କୁ ‌ଷ୍ଟାରଲିଙ୍କ୍‌ ଜରିଆରେ ସେବା ପ୍ରଦାନ ପାଇଁ ଆମେ ସର୍ବୋତ୍କୃଷ୍ଟ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି। 

Advertisment

ଉଲ୍ଲେଖଯୋଗ୍ୟ, ବିଶ୍ବର ପ୍ରମୁଖ ଧନୀ ବ୍ୟବସାୟୀ ଏଲନ୍‌ ମସ୍କ ତାଙ୍କ ଷ୍ଟାରଲିଙ୍କ୍ କମ୍ପାନି ଜରିଆରେ ଭାରତର ଟେଲିକମ୍‌ ବ୍ୟବସାୟରେ ପ୍ରବେଶ ଯୋଜନା ରଖିଛନ୍ତି। କିନ୍ତୁ ସେ ସ୍ପେକ୍ଟ୍ରମ ନିଲାମର ଜଣେ ବଡ଼ ସମାଲୋଚକ। ଷ୍ଟାରଲିଙ୍କ୍‌ ସମେତ ଆମାଜନ୍‌ ମଧ୍ୟ ଏଭଳି ସ୍ପେକ୍ଟ୍ରମ ନିଲାମ ସପକ୍ଷରେ ନାହିଁ। ମସ୍କ କହିଥିଲେ ଜାତିସଂଘର ଏଜେନ୍ସି ଅନ୍ତର୍ଜାତୀୟ ଟେଲିଯୋଗାଯୋଗ ସଂଘ (ଆଇଟିୟୁ) ସାଟେଲାଇଟ୍ ସ୍ପେକ୍ଟ୍ରମକୁ ଆବଣ୍ଟନ କରିଥାଏ। ଭାରତ ଆଇଟିୟୁର ସଦସ୍ୟ ରହିଛି। ତେଣୁ ଭାରତରେ ମଧ୍ୟ ଏହାର ନିଲାମ ହେବା ଉଚିତ ନୁହେଁ। 
ଭାରତରେ ସାଟେଲାଇଟ୍‌ ସ୍ପେକ୍ଟ୍ରମର ନିଲାମ ପାଇଁ ହେଉଥିବା ଦାବିକୁ ସେ ଖୋଲ‌ାଖୋଲି ପ୍ରଶ୍ନ କରିଥିଲେ। ଯଦିଓ ପ୍ରଶାସନିକ ଉପାୟରେ ସାଟେଲାଇଟ୍‌ ସ୍ପେକ୍ଟ୍ରମ ନିଲାମ ହେବ କିନ୍ତୁ ଏହାର ଦର ଭାରତୀୟ ଟେଲିକମ୍‌ ନିୟାମକ (ଟ୍ରାଇ) ଧାର୍ଯ୍ୟ କରିବ। ଭାରତରେ ସାଟେଲାଇଟ୍‌ ବ୍ରଡବ୍ୟାଣ୍ଡ୍ ବଜାର ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୩୦ ସୁଦ୍ଧାଏହା ୧.୯ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।