କରୋନା ପ୍ରଭାବ : ଲକଡାଉନ ପରଠାରୁ ଗୋଟିଏ ବି ଗାଡ଼ି ବିକ୍ରି କରିନାହିଁ ମାରୁତି-ସୁଜୁକୀ

ନୂଆଦିଲ୍ଲୀ : ଭାରତରେ ଗତ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଲକଡାଉନ ଫଳରେ ଅଟୋମୋବାଇଲ କମ୍ପାନିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଅଧିକାଂଶ ଅଟୋମୋବାଇଲ କମ୍ପାନିଙ୍କ ବିକ୍ରି ଆଶାତୀତ ଭାବେ ହ୍ରାସ ପାଇଛି । ଏପରିକି ଦେଶର ବୃହତ୍ତମ କାର ନିର୍ମାତା କମ୍ପାନି ମାରୁତି ସୁଜୁକୀ ଗତ ୨୪ ତାରିଖଠାରୁ କୌଣସି ଗୋଟିଏ ହେଲେ ଯାନ ବିକ୍ରି କରିନାହିଁ । ଏ ସଂପର୍କରେ କମ୍ପାନିର ଅଧ୍ୟକ୍ଷ ଆର.ସି. ଭାର୍ଗବ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଗତ ବର୍ଷ ଭାରତୀୟ ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା । ତେବେ ଧୀରେ ଧୀରେ ସ୍ଥିତି ସୁଧୁରି ଆସିଥିଲା । ଯଦି ଏହି ସମୟରେ କରୋନା ଭାଇରସ ପରି ଏକ ସଂକଟ ଆସିନଥାନ୍ତା ତେବେ ଭାରତୀୟ ବଜାରରେ ଅଟୋମୋବାଇଲ ଚାହିଦା ସ୍ୱାଭାବିକ ସ୍ତରକୁ ଆସିଯାଇଥାନ୍ତା ବୋଲି ଭାର୍ଗବ କହିଛନ୍ତି ।

ଗତ ମାର୍ଚ୍ଚରେ ମାରୁତ-ସୁଜୁକୀର ବିକ୍ରି ୪୮% ହ୍ରାସ ପାଇଛି । ମାର୍ଚ୍ଚ ୨୦୧୯ରେ କମ୍ପାନି ମୋଟ ୧୪୭,୬୧୩ଟି କାର ବିକ୍ରି କରିଥିବାବେଳେ ଗତ ମାର୍ଚ୍ଚରେ ମାତ୍ର ୭୬,୯୭୬ଟି ଯାନ ବିକ୍ରି କରିଛି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ କଟକଣା ଓ ୨୪ ତାରିଖରୁ ଲକଡାଉନ ଫଳରେ କମ୍ପାନିର ବିକ୍ରି ପ୍ରଭାବିତ ହୋଇଛି । କେବଳ ମାରୁତି ନୁହେଁ ଅନ୍ୟ ପ୍ରମୁଖ କମ୍ପାନି ଯଥା ଟାଟା ମୋଟର୍ସ, ମହିନ୍ଦ୍ରା, ବଜାଜ ଆଦିଙ୍କ ବିକ୍ରି ମଧ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର