ବଦଳିଲା ଏଟିଏମ୍‌ ସହ ଜଡ଼ିତ ଏହି ନିୟମ, ସହରାଞ୍ଚଳରେ ରାତି ୯ଟା ପରେ ଆଉ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ

ନୂଆଦିଲ୍ଲୀ: ସରକାର ଏଟିଏମ୍‌ ସହିତ ଜଡ଼ିତ ନୂଅା ନିୟମ ଜାରି କରିଛନ୍ତି। ଏହି ନିୟମରେ କୁହାଯାଇଛି କି ସହରାଞ୍ଚଳରେ ରାତି ୯ଟା ପରେ ଆଉ ଏଟିଏମ୍‌ରେ ଟଙ୍କା ଭରାଯିବ ନାହିଁ ଓ ଭ୍ୟାନ୍‌ରେ ସିଙ୍ଗଲ ଟ୍ରିପ୍‌ରେ ୫କୋଟି ଟଙ୍କାରୁ ଅଧିକ ରହିବ ନାହିଁ। ଏହା ବ୍ୟତୀତ କ୍ୟାସ୍‌ ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ, ଅପରାଧୀଙ୍କ ଗାଡ଼ିର ପିଛା କରିବା ଓ ଅନ୍ୟାନ୍ୟ ସମସ୍ୟାର ସାମ୍ନା କରିବାକୁ ଟ୍ରେନିଂ ଦିଆଯିବ। ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ନିର୍ଦେଶାବଳିରେ କୁହାଯାଇଛି କି କ୍ୟାସ୍‌ ଟ୍ରାନ୍ସପାର୍ଟେସନ୍‌ ସହିତ ଜଡ଼ିତ ଥିବା ସମସ୍ତ କର୍ମଚାରୀଙ୍କ ପୃଷ୍ଠଭୂମିର ଯାଞ୍ଚ ପାଇଁ ସେମାନଙ୍କ ଆଧାର ଭେରିଫିକେସନ୍‌ କରିବାକୁ ପଡ଼ିବ।

ସେହିପରି  ଗ୍ରାମୀଣ ଅଞ୍ଚଳରେ ସନ୍ଧ୍ୟା ୬ଟା ପରେ କୌଣସି ଏଟିଏମ୍‌ରେ ଟଙ୍କା ଭରାଯିବ ନାହିଁ ଓ ଗୋଟିଏ ଏଟିଏମ୍‌ରେ ଟଙ୍କା ଲୋଡ କରିବା ପାଇଁ ଟଙ୍କାକୁ ତା’ପୂର୍ବ ଦିନରୁ କିମ୍ବା ସେହିଦିନ ସକାଳେ ବ୍ୟାଙ୍କରୁ ଆଣିବାକୁ ପଡ଼ିବ। ଏପରି କରିବା ଦ୍ୱାରା ଟଙ୍କା ଭରିବାର ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟସୀମା ପୂର୍ବରୁ କାମ ଶେଷ ହୋଇଯିବ।

ସମସ୍ତ କ୍ୟାସ ଭ୍ୟାନ୍‌ରେ ଜିଏସ୍‌ଏମ୍‌ ଆଧାରରେ ଅଟୋ-ଡାଏଲର ସହିତ ସିକ୍ୟୁରିଟି ଅଲାର୍ମ ଓ ମୋଟରାଇଜଡ ସାଇରନ୍‌ ଲଗାଯିବ। ସମସ୍ତ କ୍ୟାସ ଭ୍ୟାନ୍‌ରେ ଏଣିକି ସିସିଟିଭି, ଲାଇଭ୍‌ ଜିପିଏସ୍‌ ଟ୍ରାକିଂ ଓ ବନ୍ଧୁକ ସହିତ ଅତି କମ୍‌ରେ ଦୁଇଟି ସିକ୍ୟୁରିଟି ନିଶ୍ଚିୟ ରହିବେ। ସିକ୍ୟୁରିଟି ଗାର୍ଡ଼ଙ୍କ ବନ୍ଧୁକକୁ ଦୁଇବର୍ଷ ମଧ୍ୟରେ ଅତି କମ୍‌ରେ ଥରେ ଟେଷ୍ଟ ଫାୟାରିଂ କରାଯିବ ଓ ଏହାର ବୁଲେଟକୁ ପ୍ରତ୍ୟେକ ଦୁଇବର୍ଷରେ ଥରେ ବଦଳା ଯିବ। କ୍ୟାସ ଟ୍ରାନ୍ସପାର୍ଟେସନ୍‌ ସହିତ ଜଡ଼ିତ କର୍ମଚାରୀଙ୍କ ଟ୍ରେନିଂ ପାଇଁ ବିଶେଷ ପ୍ରୋଭିଜନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର