ଭାରତର ୫-ଜି ନେଟଓ୍ବର୍କରେ ଚୀନର ଉପକରଣ ଲାଗିବ ନାହିଁ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ୍ ନିଲାମ ଗୁରୁବାର ସଂଧ୍ୟା ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସ୍ପେକ୍ଟ୍ରମ୍ ଆବଣ୍ଟନ ଶେଷ ହେବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ କେତେକ ସହରରେ ୫-ଜି ସେବା ଆରମ୍ଭ ହେବ ।

ଭାରତରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିରେ ଚୀନର ଟେଲକମ କମ୍ପାନିମାନଙ୍କୁ ସଂପୂର୍ଣ୍ଣ ବାଦ ଦିଆଯାଇଛି । ସ୍ପେକ୍ଟ୍ରମ ଦୌଡ଼ରେ ଥିବା ଟେଲିକମ ସେବା କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଓ ଭୋଡାଫୋନ ଏସାର କୌଣସି ଚୀନ କମ୍ପାନିଠାରୁ ଉପକରଣ କିଣୁନଥିବା ସୂଚନା ମିଳିଛି ।
ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ନିଜର ୫ଜି ଉପକରଣ ପାର୍ଟନର ଭାବେ ଫିନଲାଣ୍ଡର ନୋକିଆ, ସ୍ବିଡେନର ଏରିକସନ ତଥା ଦକ୍ଷିଣ କୋରିଆର ସାମସଙ୍ଗକୁ ବାଛିଛନ୍ତି । ସେହିପରି ଭୋଡାଫୋନ ଏସାର ମଧ୍ୟ ଏକ ୟୁରୋପୀୟ କମ୍ପାନି ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି ।

ଏହାର ଅର୍ଥ ହେଉଛି ଚୀନର ଦୁଇ ଟେଲିକମ କମ୍ପାନି ହୁଆଏଇ ଏବଂ ଜେଡଟିଇଠାରୁ କୌଣସି ଭାରତୀୟ ଟେଲିକମ ଅପରେଟର ୫-ଜି ନେଟଓ୍ବାର୍କ ଉପକରଣ କିଣୁନାହାନ୍ତି ।
ଚୀନ ଟେଲିକମ ସାମଗ୍ରୀର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ କେତେକ ଦେଶ ମଧ୍ୟ ଏଗୁଡ଼ିକୁ କିଣୁ ନାହାନ୍ତି ।

ସମ୍ବନ୍ଧିତ ଖବର