ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ଲାଭରେ ଚାଲୁଥିବା କୌଣସି ଉଦ୍ୟୋଗର ଘରୋଇକରଣ କରିବା ନେଇ ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ତେବେ କ୍ଷତିରେ ଚାଲୁଥିବା କମ୍ପାନିଗୁଡ଼ିକୁ ଲାଭଜନକ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କ୍ଷତିରେ ଚାଲୁଥିବା କମ୍ପାନିଗୁଡ଼ିକର ଖର୍ଚ୍ଚ କମ୍ କରିବା ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା ମାଧ୍ୟମରେ କର୍ମଚାରୀ ସଂଖ୍ୟା କମ୍ କରାଯାଉଛି। ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସରକାରୀ ଉଦ୍ୟୋଗ ଚୟନ କମିଟି ଜରିଆରେ ଶୀର୍ଷ ପଦଗୁଡ଼ିକୁ ପୂରଣ କରାଯାଉଛି ବୋଲି ସେ କହିଛନ୍ତି।
ଏଥି ସହିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡା. ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକର ସ୍ଥିତି ବଦଳାଇବା ଲାଗି ଲାଭରେ ଚାଲୁଥିବା କମ୍ପାନି ଲାଭାଂଶର କିଛି ଅର୍ଥ ଖର୍ଚ୍ଚ କରିବା ଲାଗି ମଧ୍ୟ କୌଣସି ଯୋଜନା ସରକାରଙ୍କ ବିଚାରାଧୀନ ନାହିଁ। ରାଜ୍ୟରେ କୌଣସି ସରକାରୀ ଉଦ୍ୟୋଗ ରୁଗ୍ଣ ନଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ କୌଣସି ସରକାରୀ ଉଦ୍ୟୋଗ ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ୩୧ଟି ସରକାରୀ ଉଦ୍ୟୋଗ ରହିଛି। ସେହି ସଂସ୍ଥାଗୁଡ଼ିକରେ ସମୁଦାୟ ୧୨,୫୯୯ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମରେ ସର୍ବାଧିକ ୨୭୫୩ ଜଣ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ୧୮୨୬, ଓଡ଼ିଶା ଖଣି ନିଗମରେ ୧୮୦୯ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମରେ ୧୬୧୫ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କଳିଙ୍ଗ ଷ୍ଟୁଡିଓଜ୍ରେ କୌଣସି କର୍ମଚାରୀ ନଥିବା ବେଳେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କର୍ମଚାରୀ ସଂଖ୍ୟା ମାତ୍ର ୮ ରହିଛି ବୋଲି ମନ୍ତ୍ରୀ ଡା. ମହାପାତ୍ର ଦେଇଥିବା ଉତ୍ତରରୁ ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଉଦ୍ୟୋଗଗୁଡ଼ିକରେ ୧୨,୫୭୮ ପଦ ଖାଲିପଡ଼ିଛି। ଅର୍ଥାତ ଯେତିକି କର୍ମଚାରୀ ନିଯୁକ୍ତି ପାଇଛନ୍ତି, ଆହୁରି ସେତିକି କର୍ମଚାରୀଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ରେ ୩୧୪୧ ପଦ ଖାଲିଥିବା ବେଳେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମରେ ୨୨୬୦, ଓଡ଼ିଶା ଖଣି ନିଗମରେ ୧୪୩୩, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ୧୦୧୪ ଓ ଓଡ଼ିଶା ଉଠାଜଳସେଚନ ନିଗମରେ ୧୦୮୧ ପଦ ଖାଲିପଡ଼ିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।