ବଢ଼ିନପାରେ ଇପିଏଫ୍‌ ସୁଧ:କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ୨୧ରେ

ଦୁଇ ହଜାର ଟଙ୍କା ହୋଇପାରେ ପାଣ୍ଠି ଦେବାକୁ ଚାହୁଁନି ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏଥର ସୁଧ ହାରରେ କୌଣସି ପ୍ରକାର ପରିବର୍ତ୍ତନ କରିନପାରେ। ପୂର୍ବବର୍ଷ ଭଳି ୨୦୧୮-୧୯ ପାଇଁ ଏହା ୮.୫୫% ହାରରେ ସୁଧ ପ୍ରଦାନ କରିବ। ଅବଶ୍ୟ, ଏହାକୁ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଚଳିତ ମାସ ୨୧ ତାରିଖରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ବସିବ। ସେଥିରେ ସୁଧ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ। ଆଉ କିଛି ମାସ ପରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁଧକୁ ନେଇ ସରକାରଙ୍କ କ’ଣ ଯୋଜନା ରହିଛି ତାହାର କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ। ସେଦିନର ବୈଠକରେ ସର୍ବନିମ୍ନ ପେନ୍‌ସନ୍‌ ରାଶିକୁ ମାସିକ ଦୁଇ ହଜାର ଟଙ୍କାକୁ ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଇପିଏଫ୍‌ଓ ଏହାର ୬ କୋଟି ପାଖାପାଖି ସଦସ୍ୟଙ୍କୁ ପ୍ରଦାନ କରୁଥିବା ସୁଧ ବିଗତ ପାଞ୍ଚ ବର୍ଷ ଭିତରେ ସବୁଠୁ କମ୍ ରହିଛି। ୨୦୧୨-୧୩ରେ ସୁଧ ହାର ୮.୫% ଥିଲା। ୨୦୧୩-୧୪ ଓ ୨୦୧୪-୧୫ ପାଇଁ ସୁଧ ପରିମାଣ ୮.୭୫%କୁ ବଢ଼ାଇ ଦିଆଯାଇଥିଲା। ୨୦୧୫-୧୬ରେ ତାହାକୁ ୮.୮%କୁ ପୁଣି ବୃଦ୍ଧି କରାଯାଇଥିଲା। ୨୦୧୬-୧୭ରେ କିନ୍ତୁ ସେଥିରେ ହ୍ରାସ ଘୋଷଣା କରାଗଲା ଓ ସୁଧ ହାରକୁ ୮.୬୫% ପର୍ଯ୍ୟନ୍ତ ଖସାଇ ଦିଆଗଲା। ୨୦୧୭-୧୮ରେ ସେଥିରେ ପୁଣି ହାର କରି ୮.୫୫%କୁ ଖସାଇ ଦିଆଯାଇଥିଲା।

ପେନ୍‌ସନ୍‌ ବଢ଼ାଇଛି ଚାପ
କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟ୍‌ରେ ଅଣସଂଗଠିତ କ୍ଷେତ୍ର ପାଇଁ ମାସିକ ୩୦୦୦ ଟଙ୍କାର ପେନ୍‌ସନ୍ ଯୋଜନା ଘୋଷଣା କରିବା ପରେ ଇପିଏଫ୍‌ଓ ସଦସ୍ୟଙ୍କ ସର୍ବନିମ୍ନ ପେନ୍‌ସନ୍ ପରିମାଣ ବଢ଼ାଇବା ପାଇଁ ଚାପ ସୃଷ୍ଟି ହୋଇଛି। ଚଳିତ ମାସ ୨୧ ତାରିଖରେ ହେବାକୁ ଥିବା ବୈଠକରେ ଏନେଇ ଆଲୋଚନା ହେବ। ଇପିଏଫ୍‌ଓର ଯେଉଁ ସଦସ୍ୟମାନଙ୍କ ନାମ କର୍ମଚାରୀ ପେନ୍‌ସନ୍‌ ସ୍କିମ୍‌ (ଇପିଏସ୍‌)ରେ ରହିଛି, ସେମାନଙ୍କ ପାଇଁ ୨୦୧୪ରେ ମାସିକ ୧୦୦୦ ଟଙ୍କାର ସର୍ବନିମ୍ନ ପେନ୍‌ସନ୍ ଲାଗୁ କରାଯାଇଛି। ଏବେ ସେହି ପେନ୍‌ସନ୍‌ ପରିମାଣ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରାଯାଉଛି। ସେଥିପାଇଁ ଅର୍ଥ ମନ୍ତ୍ରଣାଳୟ କୌଣସି ପାଣ୍ଠି ଦେବାକୁ ଚାହୁଁନାହିଁ। ନିଜ ଆଡ଼ୁ ପାଣ୍ଠି ଯୋଗାଡ଼ କରିବାର କ’ଣ ସମ୍ଭାବନା ରହିଛି ତାହା ଜଣାଇବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ମନ୍ତ୍ରଣାଳୟକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସର୍ବନିମ୍ନ ପେନ୍‌ସନ୍‌ ପରିମାଣକୁ ୩୦୦୦ ଟଙ୍କା କିମ୍ବା ୭୫୦୦ ଟଙ୍କା କରିବାକୁ ଶ୍ରମିକ ସଂଗଠନଗୁଡ଼ିକ ଦାବି କରୁଛନ୍ତି। ଇପିଏସ୍‌ ଯୋଜନାରେ ପ୍ରଦାନ କରାଯାଉଥିବା ୧୦୦୦ ଟଙ୍କାର ସର୍ବନିମ୍ନ ପେନ୍‌ସନ୍‌ ମୌଳିକ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ନୁହେଁ। ତେଣୁ ଏହି ରାଶି ବଢ଼ାଇବା ଉପରେ ବିଚାର କରିବାକୁ ଗତ ବର୍ଷ ଏକ ସଂସଦୀୟ କମିଟି ପକ୍ଷରୁ ସରକାରଙ୍କୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର