କେତେ ପରିମାଣର କଳାଧନ ଓ ନକଲି ନୋଟ ଭାରତରେ ଅଛି ସେ ସମ୍ପର୍କରେ କୌଣସି ଧାରଣା ନାହିିଁ : ଆରବିଆଇ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବର ଆଠରେ କେନ୍ଦ୍ର ସରକାର ଦେଶରୁ କଳାଧନ କାରବାରକୁ ରୋକିବା ପାଇଁ ବିମୁଦ୍ରାୟନର ଘୋଷଣା କରିଥିଲେ। ଏହି ବିମୁଦ୍ରାୟନ ପରେ ଦେଶରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା।

ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ବିମୁଦ୍ରାୟନ ପରେ ଚଳିତବର୍ଷ ଅଗଷ୍ଟରେ ୯,୭୧୧,୬୨ମିଲିୟନ ୫୦୦ଟଙ୍କିଆ ନୋଟ ଓ ୪,୭୦୯,୭୨ ମିଲିୟନ ୧୦୦୦ଟଙ୍କିଆ ନୋଟକୁ ନଷ୍ଟ କରି ଦେଇଛି। କିନ୍ତୁ ଏଯାବତ୍‌ କେତେ ପରିମାଣର ନକଲି ନୋଟ ଓ କଳାଧନ ଭାରତରେ ଅଛି ତାହା ସମ୍ପର୍କରେ କୌଣସି ସୂଚନା ଦେଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମନା କରିଦେଇଛି।

ସୂଚନା ଅଧିକାର ଆଇନ(ଆରଟିଆଇ )ପକ୍ଷରୁ ମିଳିଥିବା ଏକ ତଥ୍ୟରୁ ପ୍ରକାଶ, ୨୦୧୭ ଜୁନ୍‌ ୩୦ରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ପାଖାପାଖି ୧୫.୨୮ ଟ୍ରିଲିୟନ ଜମା ହୋଇଥିଲା। ସେହିପରି ୨୦୧୬ ନଭେମ୍ବର ୪ ପର୍ଯ୍ୟନ୍ତ ୫୦୦ ଓ ୧୦୦୦ଟଙ୍କିଆ ନୋଟ ୧୭.୭୪ ଟ୍ରିଲିୟନ ନୋଟ ସଞ୍ଚାଳିତ ଥିଲା।

ଅଗଷ୍ଟରେ ଜାରି ହୋଇଥିବା ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ,୧୫.୪୪ଲକ୍ଷ କୋଟି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ସଞ୍ଚଳିତ ଥିଲା। ୧୫.୨୮ଲକ୍ଷ କୋଟି ଅର୍ଥାତ ୯୯ ପ୍ରତିଶତ ଅଚଳ ନୋଟ ବ୍ୟାଙ୍କକୁ ଫେରି ଆସିଥିଲା।

ଅନ୍ୟପକ୍ଷରେ ଆରବିଆଇ ବିମୁଦ୍ରାୟନ ପରେ ଛପା ଯାଇଥିବା ନୂତନ ୫୦୦ ଓ ୨୦୦୦ଟଙ୍କିଆ ନୋଟରେ ତ୍ରୁଟିକୁ ନେଇ କୌଣସି ସୂଚନା ଦେଇ ପାରିବ ନାହିଁ ବୋଲି ମନା କରିଦେଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ(ବିଆରବିଏନ୍‌ଏମ୍‌ପିଏଲ) ଆରଟିଆଇଙ୍କ ଉତ୍ତରରେ କହିଛନ୍ତି, ଆବେଦକଙ୍କ ଦ୍ୱାରା ମଗାଯାଇଥିବା ସୂଚନା ଆରଟିଆଇ ଧାରା ୮ ୧(ଏ)ରେ ଆସୁନାହିଁ। ତେଣୁ ଆମେ ଏ ସମ୍ପର୍କରେ କୌଣସି ସୂଚନା ଦେଇପାରିବୁ ନାହିଁ।

୨୦୧୭ ମାର୍ଚ୍ଚ ୩୧ରେ ୫୦୦ଟଙ୍କିଆ ୪,୨୯୨,୨୨୫ ମିଲିୟନ ଓ ୨୦୦୦ଟଙ୍କିଆ ୩,୫୪୨,୯୯୧ମିଲିୟନ ନୋଟ ଛପା ଯାଇଥିଲା ବୋଲି ଆରବିଆଇ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର