ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ୍ରୁ କଳାଧନକୁ ନେଇ ଯେଉଁ ସବୁ ସୂଚନା ମିଳିଛି ତାହା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛନ୍ତି। ଗୋପନୀୟତା ସର୍ତ୍ତ ଆଧାରରେ ଏସବୁ ସୂଚନା ମିଳିଛି। ତେଣୁ ତାହାକୁ ସାର୍ବଜନୀନ କରିହେବ ନାହିଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ଏହି ସୂଚନା ମଗାଯାଇଥିଲା। ତାହାର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ କରାଯାଉଥିବା ବିଭିନ୍ନ ନିର୍ଦିଷ୍ଟ ମାମଲା ପାଇଁ ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ କଳାଧନକୁ ନେଇ ସୂଚନାର ଆଦାନ ପ୍ରଦାନ ହେଉଛି। ଏହା ଏକ ନିରନ୍ତର ପ୍ରକ୍ରିୟା। ଗୋପନୀୟତା ସର୍ତ୍ତ ଆଧାରରେ ଏହି ସବୁ ସୂଚନା ମିଳୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍ଟିଆଇ ଆବେଦନରେ ସରକାରଙ୍କ ଠାରୁ ସ୍ବିଜରଲ୍ୟାଣ୍ଡ୍ରୁ କଳାଧନକୁ ନେଇ ମିଳିଥିବା ତଥ୍ୟ, ଏହା ସହିତ ଜଡ଼ିତ ଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ନାମ ଏବଂ ସେମାନଙ୍କ ବିରୋଧରେ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ମଗାଯାଇଥିଲା। ଆର୍ଥିକ ତଥ୍ୟର ସ୍ବୟଂଚାଳିକ ଆଦାନପ୍ରଦାନ ପାଇଁ ୨୦୧୬ ନଭେମ୍ବରରେ ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୨୦୧୯ ଠାରୁ ଏହି ଚୁକ୍ତି ଲାଗୁ କରାଯାଇଛି। ପ୍ରଥମେ ୨୦୧୮ର ସୂଚନା ମିଳିବ।
ଦେଶ ଭିତରେ ଓ ବାହାରେ କେତେ ପରିମାଣର କଳାଧନ ଗଚ୍ଛିତ ରହିଛି ତାହାର କୌଣସି ନିର୍ଦିଷ୍ଟ ଆକଳନ କରାଯାଇନାହିଁ। ଏହାକୁ ନେଇ ଅତୀତରେ ଯେଉଁ ତିନିଟି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ତାହାର ନକଲ ପ୍ରଦାନ କରିବାକୁ ଅର୍ଥ ମନ୍ତ୍ରଣାଳୟ ମନା କରିଦେଇଛି। ଏହାର କାରଣ ବିଷୟରେ ମନ୍ତ୍ରଣାଳୟ କହିଛି ଯେ, ସଂସଦୀୟ କମିଟି ଦ୍ବାରା ରିପୋର୍ଟଗୁଡ଼ିକର ଅନୁଧ୍ୟାନ କରାଯାଉଛି। ରିପୋର୍ଟଗୁଡ଼ିକୁ ସାର୍ବଜନୀନ କଲେ ଗୃହର ସ୍ବାଧୀକାର ଭଙ୍ଗ ହେବ। ଚାରି ବର୍ଷ ପୂର୍ବେ ଏହି ରିପୋର୍ଟଗୁଡ଼ିକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା।
କଳାଧନ ପରିମାଣ ଉପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସି (ଏନ୍ଆଇପିଏଫ୍ପି), ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନମିକ୍ ଆଣ୍ଡ୍ ରିସର୍ଚ (ଏନ୍ସିଏଇଆର୍) ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍ (ଏନ୍ଆଇଏଫ୍ଏମ୍) ତରଫରୁ ତିନିଟି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ସେଗୁଡ଼ିକୁ ୨୦୧୩ ଓ ୨୦୧୪ରେ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା।
ତେବେ ଏଚ୍ଏସ୍ବିସି ବ୍ୟାଙ୍କର ତଥ୍ୟ ଲିକ୍ ଆଧାରରେ ଯେଉଁ ସୂଚନା ମିଳିଥିଲା ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ବିଦେଶରେ ଭାରତୀୟମାନେ ଜମା କରିଥିବା ୮୬୪୫ କୋଟି ଟଙ୍କାକୁ ଟିକସ ଅଧୀନକୁ ଅଣାଯାଇଥିଲା। ୪୨୭ଟି ମାମଲାରେ ଆସେସମେଣ୍ଟ୍ ଶେଷ କରାଯାଇଛି ଓ ୧୬୨ଟି ମାମଲାରେ ୧୨୯୧ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର