ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କ ବିଦେଶୀ ଆୟରୁ ଟିକସ ଆଦାୟ ହେବନାହିଁ

ନୂଆଦିଲ୍ଲୀ : ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇମାନଙ୍କ ବିଦେଶୀ ଆୟ ଉପରେ ଟିକସ ଲାଗୁ କରିବାର କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ। ତେବେ ସେମାନେ ଭାରତରେ କରୁଥିବା ଆୟ ଉପରେ ଟିକସ ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ ଆଜି ସ୍ପଷ୍ଟ କରିଛନ୍ତି।

ଗତକାଲି ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରବାସୀ ଭାରତୀୟଙ୍କ ବିଦେଶୀ ଆୟ ଉପରେ ଟିକସ ଲାଗୁକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ସେହି ଦ୍ବନ୍ଦ୍ବକୁ ଆଜି ଅର୍ଥମନ୍ତ୍ରୀ ଦୂର କରିଛନ୍ତି। ସେ କହିଛନ୍ତି, ପ୍ରବାସୀ ଭାରତୀୟ ଜଣକ ଯଦି ଟିକସ ନଥିବା ଦେଶ ବା ସ୍ଥାନରେ କିଛି ଆୟ କରିଛନ୍ତି ତା’ହେଲେ ମୁଁ କାହିକି ସେହି ଆୟକୁ ଆମ ଦେଶରେ ଟିକସ ଲଗାଇବି। କିନ୍ତୁ ଯଦି ଆପଣଙ୍କର ଭାରତରେ ଘର ଅଛି ଏବଂ ସେହି ଘରକୁ ଆପଣ ଭଡ଼ା ଦେଇଛନ୍ତି। ଆପଣ ବିଦେଶରେ ବାସ କରିଲେ ବି ଏଠାରୁ ମିଳୁଥିବା ଭଡ଼ା ବିଦେଶକୁ ନେଉଛନ୍ତି। କିନ୍ତୁ ‌ତାହା ଉପରେ ସେଠାରେ କିମ୍ବା ଭାରତରେ ଟିକସ ଦେଉ ନଥିଲେ ସେହି ସମ୍ପତ୍ତି ଉପରେ ମୋର ଟିକସ ଲଗାଇବାର ଅଧିକାର ରହିଛି ବୋଲି ନିର୍ମଳା ଗଣମାଧ୍ୟମକୁ ବଜେଟ୍ ପରବର୍ତ୍ତୀ ପ୍ରତିକ୍ରିୟାରେ କହିଛନ୍ତି। ଅଧିକ ସ୍ପଷ୍ଟ କରିବାକୁ ଯାଇ ନିର୍ମଳା କହିଛନ୍ତି, ଆପଣ ଦୁବାଇରେ କ’ଣ ଆୟ କରୁଛନ୍ତି ମୁଁ ତାହା ଉପରେ ଟିକସ ଲଗାଉନାହିଁ। କିନ୍ତୁ ଆପଣ ବିଦେଶରେ ବାସ କରିଲେ ମଧ୍ୟ ଭାରତରେ ଥିବା ଘରୁ ଆପଣ ଭଡ଼ା ଆକାରରେ ଯାହା ପାଉଥିବା ଅର୍ଥ ଉପରେ ଟିକସ ଆଦାୟ କରାଯାଉଛି। ଉଲ୍ଲେଖଯୋଗ୍ୟ, ଅର୍ଥ ବିଲ୍‌ ୨୦୨୦ରେ ପ୍ରସ୍ତାବ ରହିଛି ଯଦି ଜଣେ ପ୍ରବାସୀ ଭାରତୀୟ ଅନ୍ୟ କୌଣସି ଦେଶ କିମ୍ବା ସ୍ଥାନରେ ଟିକସ ପ୍ରଦାନ କରୁନାହାନ୍ତି ତାହେଲେ ଭାରତୀୟଙ୍କୁ ଭାରତର ନାଗରିକ ଭାବେ ବିବେଚନା କରାଯିବ। ଭାରତରେ ଟିକସ ଦେବାକୁ ଏଡ଼ାଇବା ପାଇଁ କେତେକ ଭାରତୀୟ ନାଗରିକ କମ୍ ଟିକସ କିମ୍ବା ଆଦୌ ଟିକସ ଆଦାୟ ହେଉ ନଥିବା ଦେଶକୁ ଯାଇ ବସବାସ କରୁଥିବା ନଜରକୁ ଆସିଛି। ତେଣୁ ଏପ୍ରକାର କାର୍ଯ୍ୟକୁ ନିରୁତ୍ସାହିତ କରିବା ଲାଗି ଉକ୍ତ ପଦକ୍ଷେପ ନିଆଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ କହିଛି। ବିଦେଶରେ ପ୍ରବାସୀ ଭାରତୀୟମାନେ ଉପାର୍ଜନ କରୁଥିବା ଟଙ୍କା ଉପରେ ଟିକସ ଆଦାୟ କରାଯିବା ବ୍ୟବସ୍ଥା ବଜେଟରେ ହୋଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ବ୍ୟାଖ୍ୟା ଠିକ୍ ନୁହେଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର