ଲାଇନ୍ ନାହିଁ କି ଲିଙ୍କ୍ ନାହିଁ, ବେପାର ମାନ୍ଦା, କାଉଣ୍ଟର ଖାଁ ଖାଁ

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ଫନି ପରଠାରୁ ରାଜଧାନୀ ଭୁବନେଶ୍ବରରେ ଲାଇନ୍ ନାହିଁ କି ଲିଙ୍କ୍ ନାହିଁ। ଏଥିଯୋଗୁ ବ୍ୟାଙ୍କ ଓ ଏଟିଏମ୍ ଗୁଡ଼ିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅଧିକାଂଶ ଏଟିଏମରେ ସଟର୍ ପଡ଼ିଛି। ଯେଉଁ ଏଟିଏମ୍ ଖୋଲା ଅଛି ସେଠାରେ ମେସିନ୍ ଖରାପ୍ କିମ୍ବା ଲିଙ୍କ୍ ନାହିଁ। ଗତ କିଛିବର୍ଷ ହେଲା ଏଟିଏମରୁ ଟଙ୍କା ଉଠାଇବାରେ ଅଭ୍ୟସ୍ତ ଲୋକମାନେ ଏବେ ଏଟିଏମରୁ ଟଙ୍କା ଉଠାଇ ପାରୁନାହାନ୍ତି। ଏହାର ସିଧାସଳଖ ପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି। ଗୋଟିଏ ପଟେ ଗ୍ରାହକଙ୍କ ନିକଟରେ ନଗଦ ଅର୍ଥ ନାହିଁ। ଅନ୍ୟପଟେ ବଡ଼ ବଡ଼ ମଲ୍‌ରେ କାର୍ଡରେ ପେମେଣ୍ଟ ହୋଇ ପାରୁ ନାହିଁ। ସେମାନେ କେବଳ ନଗଦ ଅର୍ଥରେ ଜିନିଷ ବିକ୍ରି କରୁଛନ୍ତି। ଏହାର ଗୁରୁତର ପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି। ବିଶେଷକରି ରାଜ୍ୟର ବଡ଼ ବଡ଼ ଦୋକାନ ଗୁଡ଼ିକ ଯେଉଁଠି ସାଧାରଣତଃ ଲୋକମାନେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିଥାନ୍ତି ସେଠାରେ ଗ୍ରାହକଙ୍କ ମରୁଡ଼ି ଦେଖାଯାଉଛି।

ରାଜ୍ୟରେ ମଲ୍ ସଂସ୍କୃତି ଗତ କିଛିବର୍ଷ ହେଲା ଆରମ୍ଭ ହୋଇସାରିଛି। ଯୁବ ଏବଂ ମଧ୍ୟମ ଓ ଉଚ୍ଚ ଆୟବର୍ଗର ‌ଲୋକମାନେ ମଲ୍‌ରୁ ସପିଂ କରିବାକୁ ପସନ୍ଦ କରି ଆସୁଛନ୍ତି। ସେଠାରେ ଗୋଟିଏ ଛାତତଳେ ସବୁ ପ୍ରକାର ସାମଗ୍ରୀ ମିଳିବା ସହିତ ସବୁ ସମୟରେ କିଛି ନା କିଛି ଅଫର ଗ୍ରାହକଙ୍କୁ ମଲ୍ ପ୍ରତି ଆକର୍ଷଣ କରିଆସୁଛି। ରାଜ୍ୟରେ ପୂର୍ବରୁ ବିଗ୍‌ବଜାର, ପାଣ୍ଟାଲୁନ୍, ସେଣ୍ଟ୍ରାଲ, ରିଲାଏନ୍ସ ଭଳି ମଲ୍ ଖୋଲି ଥିବାବେଳେ ନିକଟରେ ଡି ଏନ ରିଗାଲିଆ ଏବଂ ଏସପ୍ଲାନେଡ୍ ଭଳି ବଡ଼ ବଡ଼ ସପିଂ କମ୍ପ୍ଲେକ୍ ଖୋଲିଛି। ସକାଳଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ମଧ୍ୟ ଦେଖାଯାଉଥିଲା। କିନ୍ତୁ ଫନି ପ୍ରଭାବରେ ଗତ ଶୁକ୍ରବାରଠାରୁ ହଠାତ୍ ଏହି ମଲ୍ ଗୁଡ଼ିକର କାରବାର କମିଯାଇଛି। ଦିନକୁ ଯେତିକି ସଂଖ୍ୟକ ଗ୍ରାହକ ମଲଗୁଡ଼ିକୁ ବାତ୍ୟା ପୂର୍ବରୁ ସପିଂ ଓ ବୁଲାବୁଲି କରିବାକୁ ଯାଉଥିଲେ ‌ତାହା ତୁଳନାରେ ୭୫ ପ୍ରତିଶତ କମ୍ ଗ୍ରାହକ ଆସୁଛନ୍ତି। ଏପରିକି ବିଗ୍ ବଜାର ଭଳି କେତୋଟି ମଲ୍ ଫନି ପରେ ଶନିବାର ପର୍ଯ୍ୟନ୍ତ ବନ୍ଦ ରହିଥିଲା। ରବିବାରଠାରୁ ଏହା ଖୋଲିଛି। କିନ୍ତୁ ଗ୍ରାହକ ଆଶାନୁରୂପକ ଆସୁନାହାନ୍ତି। ବିଲ୍ ପେମେଣ୍ଟ ପାଇଁ କାଉଣ୍ଟର ଗୁଡ଼ିକରେ ପୂର୍ବରୁ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଛିଡ଼ା ହେବାକୁ ପଡ଼ୁଥିବାବେଳେ ଏବେ କାଉଣ୍ଟର ଗୁଡ଼ିକ ଖାଁ ଖାଁ ଲାଗୁଛି। କେବଳ ମଲ୍ ନୁହେଁ, ଏସବୁ ସପିଂ କମ୍ପ୍ଲେକ୍ସ ପରିସରରେ ଖୋଲିଥିବା‌ ଜୋତା, କପଡ଼ା ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ରହିଛି। ଅଳ୍ପ କିଛି ସୋରୁମ୍ ଖୋଲା ଥିଲେ ମଧ୍ୟ ସେଗୁଡ଼ିକରେ ବେପାର ହେଉନାହିଁ। ଏହି ସୋରୁମ୍ ଗୁଡ଼ିକ ‌ପୂର୍ବରୁ ପେଟିଏମ, ଗୁଗୁଲପେ ଭଳି ପେମେଣ୍ଟ ସୁବିଧା ଯୋଗାଇ ଦେଉଥିବାବେଳେ ଏବେ ନୋ କାର୍ଡ ପେମେଣ୍ଟ ଷ୍ଟିକର୍ ଲଗାଇ ଦେଇଛନ୍ତି। କେବଳ ମଲ୍ ବା ବଡ଼ ସପ୍ଲି କମ୍ପ୍ଲେକ୍ସ ପରିସରରେ ଥିବା ସୋରୁମ୍ ନୁହଁନ୍ତି ରାଜଧାନୀର ବଡ଼ ବଡ଼ ସୁନା, ଇଲେ‌କଟ୍ରୋନିକ୍ସ, ପୋଷାକ ସୋରୁମ୍ ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଆଜି ଦେଖିବାକୁ ମିଳିଥିଲା। ବ୍ୟବସାୟୀମାନଙ୍କ କହିବାନୁଯାୟୀ, ଶୀଘ୍ର ଲାଇନ୍ ଏବଂ ଲିଙ୍କ୍ ଆସିଲେ କାର୍ଡ ପେମେଣ୍ଟ ସୁବିଧା ଗ୍ରାହକଙ୍କୁ ମିଳିପାରନ୍ତା। ଏହାହେଲେ ଲୋକମାନେ କାର୍ଡରେ ମଧ୍ୟ ସପିଂ କରିପାରନ୍ତେ। ନଚେତ ଏହି ପରିସ୍ଥିତି ଅଧିକ ଦିନ ଧରି ଲାଗି ରହିଲେ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର