ରୁପେ, ୟୁପିଆଇ କାରବାରରେ ଲାଗିବନି ଶୁଳ୍କ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଗୁଡ଼ିକର ଶୀର୍ଷ ଅଧିକାରୀମାନଙ୍କ ସହିତ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା କରିବା‌ବେଳେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବାର୍ଷିକ ୫୦ କୋଟିରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଆସନ୍ତା ଜାନୁଆରିରୁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇ କ୍ୟୁଆର୍‌ କୋଡ୍‌ରେ ଶୁଳ୍କ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର୍‌) ଆଦାୟ ନକରିବା ପାଇଁ କୁହାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଏ ନେଇ ନିର୍ଦ୍ଦେଶନାମା ଦିଆଯିବ। ଏମଡିଆର୍‌ ବାବଦରେ ଯେଉଁ ଶୁଳ୍କ ଆଦାୟ କରାଯାଏ ତାହାକୁ ୩ଟି ସଂସ୍ଥା ନେଇଥାନ୍ତି। ସେଗୁଡ଼ିକ ହେଲେ ବ୍ୟାଙ୍କ, ପିଓଏସ୍ ମେସିନ ସ୍ଥାପନ କରିଥିବା ସଂସ୍ଥା ଏବଂ ଭିସା ଓ ମାଷ୍ଟରକାର୍ଡ ଭଳି କାର୍ଡ ନେଟୱାର୍କ ପ୍ରଦାନ କରୁଥିବା ସଂସ୍ଥା। କ୍ରେଡିଟ୍ କାର୍ଡ ଉପରେ ଏହି ଶୁଳ୍କ ଶୂନ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ୍‌ରେ ବାର୍ଷିକ ୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ପ୍ରତିଷ୍ଠାନମାନେ କମ୍ ମୂଳ୍ୟରେ ଡିଜିଟାଲ ଅର୍ଥ ପୈଠ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ। ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଏବାବଦ ଖର୍ଚ୍ଚକୁ ବହନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର