ନୂଆଦିଲ୍ଲୀ: ଦେଶରେ ଗାଡ଼ିଗୁଡ଼ିକରୁ ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥାକୁ ମଞ୍ଜୁରି ମିଳିଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାତୀୟ ରାଜପଥ ଫି ନିୟମରେ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଟୋଲ୍ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍), ଗ୍ଲୋବାଲ ପୋଜିସନିଂ ସଷ୍ଟମ୍ (ଜିପିଏସ୍) ଏବଂ ଅନ୍ ବୋର୍ଡ ୟୁନିଟ୍ସ (ଓବିୟୁ)ର ବ୍ୟବହାର କରାଯିବ। ଏସବୁ ଉପାୟରେ ଟୋଲ୍ ଫି ଆଦାୟ କରାଯିବ। ପ୍ରଥମ ୨୦ କିମି ଯାତ୍ରା ଉପରେ କୌଣସି ଶୁଳ୍କ ଆଦାୟ ହେବନାହିଁ। ଏହାପରେ ଟୋଲ୍ ରାସ୍ତାରେ ଗାଡ଼ି ଯେତିକି କିଲୋମିଟର ଯିବ ସେହି ଅନୁସାରେ ଟୋଲ୍ ଫି ଆଦାୟ ହେବ। ତେବେ ବର୍ତ୍ତମାନ ଫାସ୍ଟ୍ୟାଗ୍ରେ ଯେଭଳି ଫି ଆଦାୟ କରାଯାଉଛି ତାହା ଜାରି ରହିବ।
ଜିପିଏସ୍ରେ ଫି ଆଦାୟ ହେବ
ପ୍ରଥମ ୨୦ କିମି ମାଗଣା
ଯାତ୍ରା ଦୂରତା ଅନୁସାରେ ଫି’
ଟୋଲ୍ ପ୍ଲାଜାରେ ନୂଆ ଲେନ୍ ହେବ
ଫାସ୍ଟ୍ୟାଗ୍ ବ୍ୟବସ୍ଥା ବି ଜାରି ରହିବ
ସରକାର ନୂଆ ନିୟମ ପାଇଁ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଜିଏନ୍ଏସ୍ଏସ୍ ଓବିୟୁ ବାଲା ଗାଡ଼ି ପାଇଁ ଟୋଲ୍ ପ୍ଲାଜାରେ ପୃଥକ୍ ଲେନ୍ ତିଆରି ହେବ। ଏହାଦ୍ବାରା ସେହିଗାଡ଼ିଗୁଡ଼ିକୁ ଟୋଲ୍ ଫି ଆଦାୟ ବେଳେ ଆଉ ଅଟକିବାକୁ ପଡ଼ିବ ନାହିଁ। ଏହି ଗାଡ଼ିଗୁଡ଼ିକ ଯେତିକି ଦୂର ଟୋଲ୍ ରାସ୍ତା ବ୍ୟବହାର କରିଥିବେ ସେମାନଙ୍କୁ ସେତିକି ଟୋଲ୍ ଫି ଦେବାକୁ ପଡ଼ିବ। ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ଗାଡ଼ି ଭାରତରେ ପଞ୍ଜୀକୃତ ହୋଇନାହିଁ କିମ୍ବା ଯେଉଁଥିରେ ଜିଏନ୍ଏସ୍ଏସ୍ ଡିଭାଇସ୍ ନାହିଁ ସେଗୁଡ଼ିକ ପାଇଁ ଟୋଲ୍ ଆଦାୟ ପୁରୁଣା ବ୍ୟବସ୍ଥାରେ ହେବ। ଅର୍ଥାତ ଫାସ୍ଟ୍ୟାଗ୍ ବ୍ୟବସ୍ଥାରେ ସେମାନଙ୍କୁ ଫି ଦେବାକୁ ପଡ଼ିବ। କିନ୍ତୁ ଏଥିଯୋଗୁ ଟୋଲ୍ ପ୍ଲାଜାରେ ଭିଡ଼ ହେଉଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, ଗାଡ଼ିରେ ଲାଗିଥିବା ଓବିୟୁ ଟ୍ରାକିଂ ଡିଭାଇସ୍ ଭାବେ କାର୍ଯ୍ୟ କରିବ। ସେଗୁଡ଼ିକ ଉପଗ୍ରହ ସହିତ ରାଜପଥରେ ଥିବା ଯାନର ସମନ୍ୱୟ ସ୍ଥାପନ କରିବ। ଏହାପରେ ଗାଡି ଅତିକ୍ରମ କରିଥିବା ଦୂରତା ହିସାବ କରାଯିବ। ଜିପିଏସ୍ ଏବଂ ଜିଏନ୍ଏନ୍ଏସ୍ ସହାୟତାରେ ଏହି ଦୂରତା ନିଶ୍ଚିତ କରାଯିବ। ଏଥିସହ ରାଜପଥରେ ଥିବା କ୍ୟାମେରା ଗାଡ଼ିର ଲୋକେସନ୍ ନିଶ୍ଚିତ କରିବାରେ ମଧ୍ୟ ସହାୟକ ହେବ। ନୂଆ ଟୋଲ୍ ଆଦାୟ ବ୍ୟବସ୍ଥା ପ୍ରଥମେ କେତେକ ରାଜପଥ ଓ ଏକ୍ସପ୍ରେସ୍ ୱେରେ ଲାଗୁ ହେବ ବୋଲି ଜଣାପଡ଼ିଛି।