କେନ୍ଦ୍ରର ଖର୍ଚ୍ଚକାଟ ଯୋଜନା : ନୂଆ ପଦ ସୃଷ୍ଟି ହେବନି

ଉତ୍ସବ, ସଭାସମିତି ଆୟୋଜନ ମନା

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଖର୍ଚ୍ଚ କାଟ ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ଅଧିକରୁ ଅଧିକ ପାଣ୍ଠି ସଞ୍ଚୟ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ନୂତନ ପଦ ସୃଷ୍ଟି ଉପରେ ରୋକ ଲଗାଯାଇଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଆୟୋଜନ କରାଯାଉଥିବା ପ୍ରତିଷ୍ଠା ଦିବସ, ଉତ୍ସବ ଏବଂ ଅନ୍ୟାନ୍ୟ ସଭା ସମିତି ଆୟୋଜନକୁ ନିରୁତ୍ସାହିତ କରାଯାଉଛି। ଯେଉଁ ଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିହାତି ଦରକାର ହେଉଛି ତାହାକୁ ନିରାଡମ୍ବର ଭାବେ ପାଳନ କରିବାକୁ କୁହାଯାଇଛି। ସଭା ସମିତିରେ ଅଂଶଗ୍ରହଣ କରିବା ପାଇଁ ଯାତାୟାତ ସୁବିଧା, ବ୍ୟାଗ୍‌ ଏବଂ ମେମେଣ୍ଟୋ ଆଦି କିଣାରେ ହେଉଥିବା ଖର୍ଚ୍ଚ କମ୍ କରିବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। କାଗଜ ଆମଦାନି କରି ପୁସ୍ତକ ଛାପିବା କିମ୍ବା ପ୍ରକାଶନ କରିବା ଉପରେ ରୋକ ଲଗାଯାଇଛି। ନୂତନ ପଦ ସୃଷ୍ଟି ନକରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ନୂଆ ପଦ ସୃଷ୍ଟି କରିବା ପୂର୍ବରୁ ବ୍ୟୟ ବିଭାଗର ମଞ୍ଜୁରି ନେବାକୁ ହେବ। ଯଦି କୌଣସି ପଦ ସୃଷ୍ଟି ହୋଇଛି ଓ ସେହି ପଦ ପୂରଣ ହୋଇନାହିଁ ତେବେ ସେଥିରେ ନିଯୁକ୍ତି ଅଟକାଇବାକୁ କୁହାଯାଇଛି। ଖର୍ଚ୍ଚକାଟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

କ‌େରାନା ମହାମାରୀ ସୃଷ୍ଟି ହେବା ପରେ ରାଜସ୍ବ ଆୟ ବଢ଼ାଇବା ଲାଗି କେନ୍ଦ୍ର ସରକାର ସଂଘର୍ଷ କରୁଛନ୍ତି। ଜିଏସ୍‌ଟି ଆଦାୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଥିପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ଲାଗି କେନ୍ଦ୍ର ନିଜର ଅକ୍ଷମତା ପ୍ରକାଶ କରିଛି। ରାଜ୍ୟଗୁଡ଼ିକ ପାଇଁ ଋଣ ଜରିଆରେ କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ସରକାର ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରିଛନ୍ତି। ଗୋଟିଏ ହେଉଛି ରାଜ୍ୟଗୁଡ଼ିକ ରିଜର୍ଭ ବ୍ୟାଙ୍କରେ କରାଯିବାକୁ ଥିବା ବ୍ୟବସ୍ଥାରୁ ୯୭ ହଜାର କୋଟି ଟଙ୍କାର ଋଣ ‌େ‌ନବେ ଯାହାକୁ ସେମାନଙ୍କ ଖାତାରେ ଋଣ ଭାବେ ବିଚାର କରାଯିବ ନାହିଁ। ଦ୍ବିତୀୟ ବିକଳ୍ପଟି ହେଉଛି ରାଜ୍ୟଗୁଡ଼ିକ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେବେ ଯାହାକୁ ସେମାନେ କିଛି ବର୍ଷ ପରେ ପରିଶୋଧ କରିବେ। ସରକାର ଦେଇଥିବା ଏହି ଦୁଇ ବିକଳ୍ପକୁ ବିରୋଧ କରି ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ୬ଟି ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ଲାଗି ଗୋଟିଏ ପଟେ କେନ୍ଦ୍ରକୁ ବିପୁଳ ପରିମାଣର ବ୍ୟୟ କରିବାକୁ ପଡ଼ୁଥିବା ବେଳେ ରାଜସ୍ବରେ ହ୍ରାସ ମୋଦୀ ସରକାରଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର