ବଦଳାଇ ହେବନି ଚିରାଫଟା ୨୦୦, ୨୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ/ନୂଆଦିଲ୍ଲୀ: ଲୋକମାନେ ଏବେ ବ୍ୟାଙ୍କରେ ଚିରାଫଟା ଏବଂ ମଇଳା ଦୁଇ ଶହ ଓ ଦୁଇ ହଜାର ଟଙ୍କିଆ ନୋଟ୍‌କୁ ବଦଳାଇ ପାରିବେ ନାହିଁ। ଏ କ୍ଷେତ୍ରରେ ଆଇନଗତ ପ୍ରତିବନ୍ଧକ ରହିଛି। ନୋଟ୍‌ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କର ଯେଉଁ ଆଇନ ରହିଛି ସେଥିରେ ଏହି ନୂଆକରି ଆସିଥିବା ନୋଟ୍‌ ଦୁଇଟିକୁ ଏଯାଏ ସାମିଲ କରାଯାଇ ନଥିବାରୁ ଏପ୍ରକାର ଅବସ୍ଥା ଦେଖାଦେଇଛି। ମଇଳା ହୋଇଥିବା କିମ୍ବା ଚିରି ଓ ଫାଟି ଯାଇଥିବା ନୋଟ୍‌କୁ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ (ନୋଟ୍‌ ଫେରସ୍ତ) ନିୟମ ରହିଛି। ଏହି ନିୟମ ଆର୍‌ବିଆଇ ଆଇନର ଧାରା ୨୮ ଅଧୀନରେ ଆସୁଛି। ଏହି ଆଇନରେ ୫ , ୧୦, ୫୦, ୧୦୦, ୫୦୦ ଟଙ୍କିଆ ଏବଂ ଏପରିକି ଏବେ ପ୍ରଚଳନରେ ନଥିବା ୫ ହଜାର ଓ ୧୦ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ବ୍ୟବସ୍ଥା ରହିଛି। କିନ୍ତୁ ୨୦୧୮ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଆରମ୍ଭ ହୋଇଛି। ସେହିଭଳି ଗତବର୍ଷ ଅଗଷ୍ଟରୁ ୨୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଲାଣି। କିନ୍ତୁ ଏଯାଏ ଆରବିଆଇ ଆଇନରେ ଏହି ନୋଟ୍‌ ଦୁଇଟିକୁ ବଦଳାଇବା ପାଇଁ ସାମିଲ କରାଯାଇ ନାହିଁ। ଆଇନରେ ସଂଶୋଧନ ପାଇଁ ରିଜର୍ଭ ବ୍ୟାଙ୍କ ଗତବର୍ଷ ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।

ସମ୍ବନ୍ଧିତ ଖବର