ସାମାନ୍ୟ ତଥ୍ୟଗତ ଭୁଲ ପାଇଁ ନୋଟିସ ପଠାଇବ ନାହିଁ ଆୟକର ବିଭାଗ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସମସ୍ୟାକୁ ଟିକିଏ ଲାଘବ କରିବାକୁ ସରକାର ଆୟକର ଆଇନରେ କିଛିଟା ସଂଶୋଧନ କରିଛନ୍ତି । ଏଣିକି ଜଣେ ଆୟକର ଦାତା ଫାଇଲ କରିଥିବା ରିଟର୍ଣ୍ଣ ଓ ଉକ୍ତ ବ୍ୟକ୍ତିଙ୍କ ଆୟ ସଂପର୍କରେ ଆୟକର ବିଭାଗ ବିଭିନ୍ନ ସୁତ୍ରରୁ ସଂଗ୍ରହ କରିଥିବା ତଥ୍ୟରେ ସାମାନ୍ୟ ଅସଂଗତି ରହିଲେ ଅର୍ଥାତ୍‌ ସାମାନ୍ୟ କିଛି ଏପଟସେପଟ ରହିଲେ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଡିମାଣ୍ଡ ନୋଟିସ ପଠାଇବ ନାହିଁ ଆୟକର ବିଭାଗ । ଏହା ଦ୍ୱାରା ସାଧାରଣ ଆୟକରଦାତା ଓ ବେତନଭୋଗୀ କର୍ମଚାରୀମାନେ ଉପକୃତ ହେବାର ସମ୍ଭାବନା ରହିଛି । ନିକଟରେ ଆଗତ ହୋଇଥିବା ଅର୍ଥବିଲ୍‌ (ସାଧରଣ ବଜେଟ୍‌)ରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ( ଏହା ଫଳରେ ନିଯୁକ୍ତିଦାତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ) ଫର୍ମ-୧୬ ଓ ଫର୍ମ ୨୬ଏସି (ଆୟକର ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଟାକ୍ସ କ୍ରେଡିଟ୍‌ ଷ୍ଟେଟମେଣ୍ଟ) ମଧ୍ୟ ସାମାନ୍ୟ ତଥ୍ୟଗତ ଅମେଳ ରହିଲେ ଆୟକର ବିଭାଗ ଆଉ ନୋଟିସ ପଠାଇବ ନାହିଁ ବୋଲି ସିବିଡିଟି ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା କହିଛନ୍ତି । ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷଠାରୁ ଏହା ଲାଗୁ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର