ଫାସ୍‌ଟ୍ୟାଗରୁ କେହି ଟଙ୍କା ଚୋରି କରିପାରିବେ ନାହିଁ: ଏନ୍‌ପିସିଆଇ

ନୂଆଦିଲ୍ଲୀ: ଫାସ୍‌ଟ୍ୟାଗରୁ କେହି ଟଙ୍କା ଚୋରାଇ ନେଇ ପାରିବେ ନାହିଁ। ସ୍ମାର୍ଟୱାଚ୍ ମାଧ୍ୟମରେ ଗାଡ଼ିର କାଚ ପୋଛିବା ସମୟରେ ଜଣେ ପିଲା ଫାସଟ୍ୟାଗରୁ ଟଙ୍କା ଚୋରି ‌କରି ନେଉଛି ବୋଲି ସାମାଜିକ ଗଣମାଧ୍ୟମରେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହାକୁ ମିଛ ବୋଲି ଉଭୟ ଏନପିସିଆଇ (ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ) ଓ ପେଟିଏମ୍‌ କହିଛନ୍ତି। ଏନପିସିଆଇ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଓପନ୍ ଇଣ୍ଟରନେଟ୍‌ କନେକ୍ଟିଭିଟି ମାଧ୍ୟମରେ କୌଣସି ନେଣଦେଣ କରାଯାଇ ପାରିବ ନାହିଁ। ଏନପିସିଆଇ ଓ ଟୋଲ ପ୍ଲାଜା ସମେତ ଦୁଇ ପକ୍ଷର ବ୍ୟାଙ୍କ ବା ୪ ପକ୍ଷ ମାଧ୍ୟମରେ ଏହି ଏନଇଟିସି ଫାସଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟ କରୁଛି। କେବଳ ଜଣେ ବ୍ୟକ୍ତି ଠାରୁ ମର୍ଚ୍ଚାଣ୍ଟ (ପି୨ଏମ୍‌)କୁ ପଇସା ଯାଇଥାଏ। ପର୍ସନ ଟୁ ପର୍ସନ (ପି୨ପି) କାରବାର ହୋଇ ନଥାଏ। ଅର୍ଥାତ୍ କୌଣସି ବ୍ୟକ୍ତି ଫାସଟ୍ୟାଗ୍ ଜରିଆରେ ଅର୍ଥ ଗ୍ରହଣ କରିପାରି ନଥାନ୍ତି। କେବଳ ସ୍ବୀକୃତିପ୍ରାପ୍ତ ସିଷ୍ଟମ ଇଣ୍ଟିଗ୍ରେଟରମାନେ ପେମେଣ୍ଟ କାରବାର କରିପାରିଥାନ୍ତି। ସେହିଭଳି ସିଷ୍ଟମ ଇଣ୍ଟିଗ୍ରେଟର, ବ୍ୟାଙ୍କ ଓ ଟୋଲ ପ୍ଲାଜା ଡାଟା ସେଣ୍ଟର/ସର୍ଭର ରୁମ୍ ପକ୍ଷରୁ ବ୍ୟବହୃତ ଆଇଟି ଭିତ୍ତିଭୂମିଗୁଡ଼ିକ ମଧ୍ୟ ହାର୍ଡୱେର ସିକ୍ୟୁରିଟି ମଡ୍ୟୁଲ (ଏଚଏସଏମ୍‌)ରେ ସୁରକ୍ଷିତ ବୋଲି ଏନପିସିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର