ନୂଆଦିଲ୍ଲୀ: ପଲିସି କିଣିବା ପରେ ଅକଳରେ ପଡ଼ିଯିବା କିମ୍ବା ଆବଶ୍ୟକ କରୁନଥିବା ପଲିସି ବାଧ୍ୟ ହୋଇ କିଣିବା ଭଳି ଘଟୁଥିବା ଘଟଣାକୁ କମ୍ କରିବା ଲାଗି ବୀମା ନିୟମରେ ପରିବର୍ତ୍ତନ ଆଣିବା ଉପରେ ସରକାର କାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ବୀମା ପଲିସିକୁ କେବଳ ତାଲିମପ୍ରାପ୍ତ ଏଜେଣ୍ଟ ବିକ୍ରି କରିବେ। ଏହା ଦ୍ବାରା ମିସ୍-ସେଲିଂ କମ୍ ହୋଇପାରିବ ବୋଲି ସରକାର ଭାବୁଛନ୍ତି।
ନିୟମରେ ଆସିବାକୁ ଥିବା ଅନ୍ୟତମ ବଡ଼ ପରିବର୍ତ୍ତନ ହେଉଛି ‘ଫ୍ରି-ଲୁକ୍’ ଅବଧି। ବର୍ତ୍ତମାନ ଏହା ଏକ ମାସ ରହିଛି। ତାହାକୁ ବର୍ଷେ କରିବା ଉପରେ ବିଚାରବିମର୍ଶ ଚାଲିଛି। ତାହା ହେଲେ ଗ୍ରାହକମାନେ ପଲିସି କିଣିବାର ଏକ ବର୍ଷ ମଧ୍ୟରେ ତାହାକୁ ସମୀକ୍ଷା କରିପାରିବେ ଏବଂ ନିଜ ଆବଶ୍ୟକତା ପୂରଣ କରିପାରୁ ନଥିଲେ ସେହି ପଲିସିକୁ ବାତିଲ କିମ୍ବା ଫେରାଇ ପାରିବେ। ବୀମା କମ୍ପାନିଗୁଡ଼ିକ ଲାଗି ମଧ୍ୟ ନିୟମକୁ ସରଳ କରାଯିବ। ସେମାନଙ୍କୁ କମ୍ପୋଜିଟ୍ ଲାଇସେନ୍ସ ପ୍ରଦାନ କରାଯିବ, ଯାହା ଫଳରେ ଏକ କମ୍ପାନି ଉଭୟ ଜୀବନ ବୀମା ଓ ଅଣ-ଜୀବନ ବୀମା ପଲିସି ବିକ୍ରି କରିପାରିବେ।
ଆର୍ଥିକ ସେବା ସଚିବ ଏମ୍ ନାଗାରାଜୁ କହିଛନ୍ତି ଯେ ମିସ୍ ସେଲିଂ ଏକ ବଡ଼ ସମସ୍ୟା। ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ସେହି ପଲିସି ବିକ୍ରି କରୁଛନ୍ତି ଯାହା ସେମାନଙ୍କୁ ଦରକାର ନାହିଁ। ଛୋଟ ବ୍ୟବସାୟୀ କିମ୍ବା ସାଧାରଣ ଲୋକ ଋଣ ପାଇଁ ଆବେଦନ କରିବା ବେଳେ ସେମାନଙ୍କୁ ସେହି ସମୟରେ ଚାପରେ ରଖି ପଲିସି ବିକ୍ରି କରାଯାଉଛି।