ବନ୍ଦ ହେବନାହିଁ ୨ ହଜାର ଟଙ୍କିଆ ନୋଟ୍

ଭୁବନେଶ୍ୱର ସମେତ ୫ ସହରରେ ପ୍ଲାଷ୍ଟିକ ନୋଟର ପରୀକ୍ଷାମୂଳକ ପ୍ରଚଳନ ହେବ

ନୂଆଦିଲ୍ଲୀ : ଗତ ୨୦୧୬ ନଭେମ୍ବର ୮ରେ ହୋଇଥିବା ବିମୁଦ୍ରାୟନ ପରେ ପ୍ରଚଳନ ହୋଇଥିବା ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ ବୋଲି ଲୋକମାନଙ୍କ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି କେନ୍ଦ୍ର ସରକାର । ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ ଏହି ସୂଚନା ଦେଇଛନ୍ତି । ସରକାର ୨୦୧୬ ନଭେମ୍ବର ୮ରେ ପୂର୍ବରୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ । ଏହା ପରେ ନୂଆ ୨ ହଜାର ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରିଥିଲେ । କିନ୍ତୁ ୨ ହଜାର ଟଙ୍କିଆ ନୋଟ କେବଳ ସାମୟିକ ଭାବେ ପ୍ରଚଳନ କରାଯାଇଛି ବୋଲି କେତେକ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ସରକାରଙ୍କ ସ୍ପଷ୍ଟୀକରଣ ପରେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଅନ୍ୟଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ସରକାର ଖୁବଶୀଘ୍ର ୧୦ ଟଙ୍କିଆ ପ୍ଲାଷ୍ଟିକ ନୋଟ ପ୍ରଚଳନ କରିବେ । ତେବେ ଏହା ପୂର୍ବରୁ ୫ଟି ସହରରେ ପ୍ଲାଷ୍ଟିକ ନୋଟ୍‌ର ପରୀକ୍ଷାମୂଳକ ପ୍ରଚଳନ କରାଯିବ । ଏହି ୫ଟି ସହର ହେଲେ ଭୁବନେଶ୍ୱର, କୋଚି, ମହୀଶୂର, ଜୟପୁର, ସିମଲା । ତେବେ କେବେ ଏହି ପରୀକ୍ଷା ଆରମ୍ଭ ହେବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି ।

ସମ୍ବନ୍ଧିତ ଖବର