ନୁଆଦିଲ୍ଲୀ: କୋଇଲା ରୟାଲଟି ବାବଦରେ ରାଜ୍ୟକୁ ୨୦୨୦-୨୧ରେ ୧୮୫୫.୧୧କୋଟି ଟଙ୍କା ପଇଠ କରାଯାଇଛି। ଆଜି ରାଜ୍ୟସଭ‌ାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୁଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଅପରପକ୍ଷେ କୋଇଲା ଉପରେ ରୟାଲଟି ଦର ସଂପର୍କରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଯୋଶୀ କହିଛନ୍ତି ଯେ ପଶ୍ଚିମବଂଗ ବ୍ୟତୀତ ଅନ୍ୟ ସବୁ ରାଜ୍ୟରେ କୋଇଲା ଉପରେ ରୟାଲଟିର ଦର ୨୪ ପ୍ରତିଶତ ରହିଛି। ପଶ୍ଚିମବଙ୍ଗର ରୟାଲଟି ଦର ପ୍ରତି ଟନ୍ ପିଛା ୨.୫ ଟଙ୍କାରୁ ୭ ଟଙ୍କା ମଧ୍ୟରେ ରହିଛି। ଶେଷଥର ପାଇଁ ୨୦୧୨ ମେ’ ୧୦‌‌ରେ କୋଇଲା ରୟାଲଟି ଦରର ସଂଶୋଧନ ହୋଇଥିଲା। ୧୯୫୭ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା୯(୩) ଅନୁଯାୟୀ, କୌଣସି ଖଣିଜ ପଦାର୍ଥର ରୟାଲଟି ହ୍ରାସ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ସରକାରୀ କାଗଜପତ୍ରରେ ବିଞ୍ଜପ୍ତି ପ୍ରକାଶ କରିବା ସହିତ ରୟାଲଟି ଦର ନିର୍ଦ୍ଧାରଣ କରୁଥିବା ଏହି ଆଇନର ଦ୍ବିତୀୟ ଭାଗକୁ ସଂଶୋଧନ କରିବାର କ୍ଷମତା ରଖିଛନ୍ତି।

Advertisment

ଏହି ଆଇନ ଅନୁସାରେ,କେନ୍ଦ୍ର ସରକାର ତିନି ବର୍ଷ ମଧ୍ୟରେ କୌଣସି ଖଣିଜ ପଦାର୍ଥର ରୟାଲଟି ଦୁଇ ଥରରୁ ଅଧିକ ବୃଦ୍ଧି କରିପାରିବେ ନାହିଁ। ସେହିଭଳି,ପ୍ରତି ତିନି ବର୍ଷରେ ଥରେ ରୟାଲଟି ଦର ସଂଶୋଧନ କରିବା ନିମନ୍ତେ ଏହି ଆଇନରେ କୌଣସି ବାଧ୍ୟତ‌ାମୂଳକ ବ୍ୟବସ୍ଥା ବି ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଉତ୍ତରରେ କହିଛନ୍ତି। କୋଇଲା ଏବଂ ଲିଗ୍‌ନାଇଟର ସାମ୍ପ୍ରତିକ ରୟାଲଟି ଦର ସଂଶୋଧନ ପ୍ରସଙ୍ଗରେ ଅନୁଶୀଳନ କରାଯିବା ଉଦ୍ଦେଶ୍ୟରେ ୨୦୧୪ ଜୁଲାଇ ୨୧ ତାରିଖରେ ଏକ ଅନୁଧ୍ୟାନକାରୀ କମିଟି ଗଠନ କରାଯାଇଥିଲା।ଏହି କମିଟି ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି ଯେଉଁଥିରେ କୋଇଲା ରୟାଲଟି ଦର ପରିବର୍ତ୍ତନ ନ କରିବାକୁ ପ୍ରସ୍ତାବ ରହିଛି। ସରକାର ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି ବୋଲି ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି।