ବିପର୍ଯ୍ୟୟ ସମୟରେ ରହିବନି ବିଦ୍ୟୁତ୍‌ ସମସ୍ୟା: ଭୁବନେଶ୍ବରରେ ନିର୍ମାଣ ହେବ ବ୍ୟାକ୍‌ଅପ୍‌ ନିୟନ୍ତ୍ରଣ କକ୍ଷ

ମୁଖ୍ୟ ନିୟନ୍ତ୍ରଣ କକ୍ଷର ବିକଳ୍ପ ଭାବେ କାମ କରିବ, ରାଜ୍ୟର ୩-ଫେଜ୍‌ ଗ୍ରାହକଙ୍କ ପାଇଁ ସ୍ମାର୍ଟ ମିଟର

ଭୁବନେଶ୍ବର: ବିପର୍ଯ୍ୟୟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଟାଟା ପାୱାର ପକ୍ଷରୁ ଭୁବନେଶ୍ବରରେ ଏକ ବ୍ୟାକ୍‌ଅପ୍ କଣ୍ଟ୍ରୋଲ୍ ସେଣ୍ଟର (ନିୟନ୍ତ୍ରଣ କକ୍ଷ) ସ୍ଥାପନ କରାଯିବ। ବିପର୍ଯ୍ୟୟ ସମୟରେ ମୁଖ୍ୟ ନିୟନ୍ତ୍ରଣ କକ୍ଷରେ କୌଣସି ତ୍ରୁଟି ଦେଖାଦେଲେ ବ୍ୟାକ୍ଅପ୍‌ ନିୟନ୍ତ୍ରଣ କକ୍ଷ ସବୁ କାର୍ଯ୍ୟ ସମ୍ଭାଳିବ। ଦିଲ୍ଲୀରେ ସେଭଳି ବ୍ୟବସ୍ଥା ରହିଛି। ଆସନ୍ତା ଦେଢ଼ ବର୍ଷ ଭିତରେ ଓଡ଼ିଶାର ଚାରି ବିତରଣ ସଂସ୍ଥା ପାଇଁ ବ୍ୟାକ୍‌ଅପ୍ ‌କଣ୍ଟ୍ରୋଲ୍ ସେଣ୍ଟର ସ୍ଥାପନ କରାଯିବ ବୋଲି ଟାଟା ପାୱାରର ସଭାପତି (ଟିଆଣ୍ଡ୍‌ଡି) ସଞ୍ଜୟ ବାଙ୍ଗା କହିଛନ୍ତି। ‘ସମ୍ବାଦ’ ସହିତ ଏକ ସ୍ବତନ୍ତ୍ର ଆଲୋଚନାରେ ସେ କହିଛନ୍ତି ଯେ ଓଡ଼ିଶାର ଚାରିଟି ବିତରଣ କଂପାନି ଟିପିସିଓଡିଏଲ୍‌, ଟିପିଡବ୍ଲୁଓଡିଏଲ୍, ଟିପିଏସ୍‌ଓଡିଏଲ୍ ଓ ଟିପିଏନ୍‌ଓଡିଲ୍‌ ପାଇଁ ଭୁବନେଶ୍ବରରେ ବ୍ୟାକ୍‌ଅପ୍‌ କଣ୍ଟ୍ରୋଲ୍ ସେଣ୍ଟର ସ୍ଥାପନ କରାଯିବ। ଏବେ ଟିପିସିଓଡିଏଲ୍‌ର ମୁଖ୍ୟ କଣ୍ଟ୍ରୋଲ୍ ସେଣ୍ଟର୍‌ ଭୁବନେଶ୍ବରରେ ଥିବା ବେଳେ ଦକ୍ଷିଣ ଓଡ଼ିଶାର ସେଣ୍ଟର୍‌କୁ ବ୍ରହ୍ମପୁରରେ ଓ ପଶ୍ଚିମ ଓଡ଼ିଶା ସେଣ୍ଟର୍‌କୁ ସମ୍ବଲପୁରରେ ସ୍ଥାପନ କରାଯାଉଛି। ଏଥିପାଇଁ କଂପାନିଗୁଡ଼ିକ ବରାଦ ଦେଇସାରିଛନ୍ତି ବୋଲି ସେ କହିଛନ୍ତି।

ବିଦ୍ୟୁତ କାଟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ପୁରୁଣା ଡିସ୍‌କମ୍‌ଗୁଡ଼ିକୁ ଯେତେବେଳେ ଟାଟା ପାୱାର ଅଧିଗ୍ରହଣ କରିଥିଲା ସେହି ସମୟରେ ନେଟ୍‌ୱର୍କ ଅତ୍ୟନ୍ତ ଦୁର୍ବଳ ଥିଲା। ସେଥିରେ ସୁଧାର ଆଣିବା ଲାଗି ମରାମତି କାର୍ଯ୍ୟ ଦ୍ରୁତ ଗତିରେ କରାଯାଇଥିଲା। ଯାହାର ପ୍ରଭାବରେ ପ୍ରାରମ୍ଭିକ ସମୟରେ ଗ୍ରାହକମାନଙ୍କୁ ବିଦ୍ୟୁତ କାଟ ଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା। ସେହି କାର୍ଯ୍ୟ ଅନେକାଂଶରେ ଶେଷ ହୋଇଗଲାଣି। ଆସନ୍ତା ତିନି ମାସରେ ମରାମତି କାର୍ଯ୍ୟ ଆହୁରି ବ୍ୟାପକ ହେବ। ଆସନ୍ତା ଗ୍ରୀଷ୍ଣ ଋତୁରେ ଗ୍ରାହକମାନେ ବିଦ୍ୟୁତ କାଟ ଭଳି ସମସ୍ୟା ସାମ୍ନା କରିବେ ନାହିଁ ବୋଲି ଶ୍ରୀ ବାଙ୍ଗା କହିଛନ୍ତି। ରାଜ୍ୟର ବିଦ୍ୟୁତ ନେଟୱର୍କରେ ଚାରି ବିତରଣ କଂପାନି (ଡିସ୍‌କମ୍‌) ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ସେ କହିଛନ୍ତି। ନେଟ୍‌ୱର୍କରେ ସୁଧାର ଆଣିବା ସହିତ ଗୁରୁତ୍ବପୂର୍ଣ୍ଣ ମରାମତି ଆଦି କାର୍ଯ୍ୟରେ ଅଧିକାଂଶ ଟଙ୍କା ବିନିଯୋଗ କରାଯାଉଛି। ଏହି ଚାରି ସଂସ୍ଥା ମୋଟ ଉପରେ ରାଜ୍ୟରେ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବେ। ଇତିଚ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ପୁରୁଣା ମିଟରକୁ ବଦଳାଇ ଦିଆଯାଇଛି। ‌େସଥିପାଇଁ ବିଲିଂରେ ରହୁଥିବା ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ୨୦୨୩ ମାର୍ଚ୍ଚ ଏ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ବୋଲି ଶ୍ରୀ ବାଙ୍ଗା କହିଛନ୍ତି।

ରାଜ୍ୟରେ ୧ ଲକ୍ଷ ସ୍ମାର୍ଟ ମିଟର ଲଗାଇବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ଏକ ବର୍ଷ ଭିତରେ ରାଜ୍ୟର ୩ ଲକ୍ଷ ଥ୍ରି-ଫେଜ୍‌ ଗ୍ରାହକଙ୍କ ଠାରେ ସ୍ମାର୍ଟ ମିଟର ଲଗାଯିବ। ସ୍ମାର୍ଟ ମିଟରଗୁଡ଼ିକର ଦାମ୍ ଅଧିକ ରହୁଥିବାରୁ ସେଗୁଡ଼ିକୁ ଲଗାଇବା ପରେ ଗ୍ରାହକଙ୍କ ଠାରୁ ଭଡ଼ା ଆକାରରେ ମିଟରର ମୂଲ୍ୟ ଅସୁଲ କରାଯିବ। ସେହି ଭଡ଼ାର ପରିମାଣ ଓଇଆରସି ନିର୍ଧାରଣ କରିଛନ୍ତି। ଆସନ୍ତା ଦେଢ଼ ଦୁଇ ବର୍ଷରେ ସ୍ମାର୍ଟ ମିଟର ଦାମ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଯଦି ତାହା ହେବ ତେବେ ସାଧାରଣ ଗ୍ରାହକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବା ବି‌ଷୟରେ ବିଚାର କରାଯିବ ବୋଲି ସେ କହିଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ପରିସରଗୁଡ଼ିକରେ ପ୍ରିପେଡ୍‌ ମିଟର ଲଗାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର