ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବର୍ତ୍ତମାନ ପାଇଁ କୌଣସି ଯୋଜନା ନାହିଁ । ଜିଏସଟି କାଉନସିଲ ପକ୍ଷରୁ ମଧ୍ୟ ଏ ନେଇ କୌଣସି ପ୍ରସ୍ତାବ ଆସିନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ।

Advertisment

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଂକଜ ଚୌଧୁରୀ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦରକୁ ଜିଏସଟି ପରିସରଭୁକ୍ତ କରିବାକୁ କେତେକ ପ୍ରସ୍ତାବ ଆସିଛି । କିନ୍ତୁ ଜିଏସଟି କାଉନସିଲ ପକ୍ଷରୁ କୌଣସି ସୁପାରିଶ କରାଯାଇନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବିକାଶମୂଳକ କାମ ଓ ଭିତ୍ତିଭୂମି ବିକାଶ ନିମନ୍ତେ ସମ୍ବଳ ଯୋଗାଡ଼ ପାଇଁ ବେଳେ ବେଳେ ତେଲ ଉପରେ ଉତ୍ପାଦ ଶୁଳକକୁ ପରିବର୍ତ୍ତନ କରାଯାଇଥାଏ । ଏହି ଟିକସ ଲାଗୁ କରିବା ବେଳେ ଅନ୍ତର୍ଜାତୀୟ ବଜାରରେ ତେଲଦର, ଟଙ୍କାର ବିନିମୟ ମୂଲ୍ୟ, ମୁଦ୍ରାସ୍ପୀତି,ଟିକସ ବ୍ୟବସ୍ଥା ଆଦିକୁ ବିଚାରକୁ ନିଆଯାଇଥାଏ ।

ଅନ୍ୟପକ୍ଷରେ ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଜିଏସଟି କାଉନସିଲର ସୁପାରିଶ ଆବଶ୍ୟକ ।  କିନ୍ତୁ ଏପର୍ଯ୍ୟନ୍ତ କାଉନସିଲ ଏପରି କୌଣସି ସୁପାରିଶ କରିନାହିଁ ।

କେନ୍ଦ୍ର ସରକାର ଗତ ନଭେମ୍ବର ୪ତାରିଖରେ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳକ ୫ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଥିଲେ । ଏହା ପରେ ଦେଶରେ ତେଲଦର ହ୍ରାସ ପାଇଥିଲା ।