ମୁମ୍ବାଇ: ଦୁଇ ହଜାର ଟଙ୍କିଆ ନୋଟ୍ ଫେରାଇବାର ସମୟ ସୀମା ବହୁଦିନରୁ ଶେଷ ହୋଇଯାଇଥିଲେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ହିସାବ ଅନୁସାରେ ଏବେବି ୯,୩୩୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଫେରିନାହିଁ। ସଦ୍ୟତମ ସୂଚନା ଅନୁସାରେ ୯୭.୩୮ ପ୍ରତିଶତ ଗୋଲାପୀ ନୋଟ୍ ଫେରିଆସିଛି। ବଳକା ନୋଟ୍ ଏବେବି ସାଧାରଣ ଜନତାଙ୍କ ପାଖରେ ରହିଛି।୨୦୨୩ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। ସେହି ସମୟରେ ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ଥିଲା। ସେଥିରୁ ୩.୪୬ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରିଆସିଛି।
ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଦୁଇ ହଜାର ଟଙ୍କିଆ ନୋଟ୍ର ଲିଗାଲ ଟେଣ୍ଡର ମାନ୍ୟତା ବଜାୟ ରହିବ। ତେଣୁ ଦେଶରେ ଥିବା ରିଜର୍ଭ ବ୍ୟାଙ୍କର ୧୯ଟି ଇସ୍ୟୁ କାର୍ଯ୍ୟାଳୟରେ ଲୋକମାନେ ସେହି ନୋଟ୍କୁ ଫେରସ୍ତ କରିପାରିବେ। ଗତବର୍ଷ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ଘୋଷଣା ହେବା ପରେ ନୋଟ୍ ଫେରସ୍ତ ଓ ଜମା କରିବାର ସମୟ ସୀମାକୁ ପ୍ରଥମେ ସେହି ବର୍ଷର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓ ପରେ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପରଠାରୁ କେବଳ ଇସ୍ୟୁ କାର୍ଯ୍ୟାଳୟରେ ନୋଟ୍ଗୁଡ଼ିକୁ ଫେରସ୍ତ ଓ ଜମା କରିବା ସୁବିଧା ପ୍ରଦାନ କରାଯାଉଛି। ସେଥିପାଇଁ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଲୋକମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।