୨ ହଜାର ଟଙ୍କା ପର୍ଯ୍ୟନ୍ତ ଡେବିଟ୍‌ କାର୍ଡ କାରବାର ଉପରେ ଶୁଳ୍କ ଛାଡ

କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରେତ୍ସାହିତ କରିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏଣିକି ୨ ହଜାର ଟଙ୍କାରୁ କମ ମୂଲ୍ୟର ଡେବିଟ୍‌ କାର୍ଡ କାରବାର ଉପରେ କୌଣସି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମଡିଆର )ଆଦାୟ ହେବ ନାହିଁ । ଏହି ଅର୍ଥ ସରକାର ବହନ କରିବେ ।

କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଶୁକ୍ରବାରଦିନ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଡେବିଟ୍‌ କାର୍ଡ, ଭୀମ ୟୁପିଆଇ ବା ଏଇପିଏସରେ କରାଯାଉଥିବା ୨ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ଆଦାୟ ହେଉଥିବା ଏମଡିଆର୍‌ ଛାଡ କରାଯିବ । ଆସନ୍ତା ଜାନୁୟାରୀ ୧ରୁ ଏହା ଦୁଇ ବର୍ଷ ପାଇଁ ଏହି ଅର୍ଥ ସରକାର ବହନ କରିବେ ।

 

ଡେବିଟ କାର୍ଡ ବା କ୍ରେଡିଟ୍‌ କାର୍ଡ ସେବା ପ୍ରଦାନ ଲାଗି ବ୍ୟାଙ୍କମାନେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମଡିଆର )ଆଦାୟ କରନ୍ତି ।
ଡିଜିଟାଲ ପେମେଣ୍ଟକୁ ପ୍ରେତ୍ସାହିତ କରିବାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ପୂର୍ବରୁ କେତେକ ପଦକ୍ଷେପ ଗ୍ରହଣ କରିଥିଲା । ଏଥିରେ କ୍ଷୁଦ୍ର ଓ ବଡ଼ ବ୍ୟବସାୟୀଙ୍କ ପାଇଁ ଭିନ୍ନ ଭିନ୍ନ ପରିମାଣର ଏମଡିଆର ଅନ୍ୟତମ ।

ନୂଆ ବିଜ୍ଞପ୍ତି ଅନୁସାରେ ବାର୍ଷିକ ୨୦ ଲକ୍ଷରୁ କମ ପରିମାଣର କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏମଡିଆର ଚାର୍ଜ ୦.୪୦ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ତେବେ ପଏଣ୍ଟ ଅପ ସେଲ ମେସିନ (ପିଓଏସ) ବା ଅନଲାଇନ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୨୦୦ଟି କାରବାର ପାଇଁ ଏହା ଲାଗୁ ହେବ । ସେହିପରି ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ସର୍ବାଧିକ ୧୦୦୦ଟି କାରବାର ପାଇଁ ଏମଡିଆର ୦.୯୦ ପ୍ରତିଶତ ରଖାଯାଇଛି ।

ସମ୍ବନ୍ଧିତ ଖବର