ନୋବେଲ ବିଜେତା ଅର୍ଥନୀତିଜ୍ଞଙ୍କ ପରାମର୍ଶ ‘ଲୋକଙ୍କୁ ଅଧିକ ଟଙ୍କା ଦିଅ’

ନୂଆଦିଲ୍ଲୀ: କୋଭିଡ୍-୧୯ର ମୁକାବିଲା ଲାଗି ଲୋକମାନଙ୍କ ପାଖରେ ସିଧାସଳଖ ଅଧିକ ଟଙ୍କା ପହଞ୍ଚାଇବାକୁ ଅର୍ଥନୀତିରେ ନୋବେଲ ବିଜେତା ପତିପତ୍ନୀ ଅଭିଜିତ ବାନାର୍ଜୀ ଓ ଏସ୍ଥର ଡିଫ୍ଲୋ ପରାମର୍ଶ ଦେଇଛନ୍ତି। ଏକ ଇଂରାଜି ସମ୍ବାଦପତ୍ରରେ ଲେଖିଥିବା ନିବନ୍ଧରେ ସେମାନେ ଜଣାଇନ୍ତି ଯେ, ବର୍ତମାନ ପରିସ୍ଥିତିରେ ସରକାର ଜନ ଧନ ଖାତା, ଆଧାର ଓ ମୋବାଇଲ୍‌କୁ ବ୍ୟବହାର କରି ଲୋକଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବା ଦରକାର। ସେମାନେ ଲେଖିଛନ୍ତି, ଯଦି ଲୋକମାନେ ଘରେ ରୁହନ୍ତୁ ବୋଲି ସରକାର ଚାହୁଛନ୍ତି ତେବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ହେବ। ଲୋକମାନେ ଜୀବିକା ସନ୍ଧାନରେ ନିଶ୍ଚିତ ବାହାରକୁ ବାହାରିବେ। ସେମାନଙ୍କୁ ଘରେ ରଖିବାକୁ ହେଲେ ତାଙ୍କ ହାତରେ ଟଙ୍କା ପହଞ୍ଚାଇବାକୁ ପଡ଼ିବ। ଲୋକମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରି ପ୍ରତିଟି ଜମାର ଇଲେକ୍ଟ୍ରୋନିକ୍ସ ରସିଦ୍ ରଖିବାକୁ ପଡ଼ିବ। ସରକାର ଯେଉଁ ଟଙ୍କା ପଠାଇବେ ତାହା ଯଥେଷ୍ଟ ଅଧିକ ହେବା ଦରକାର। ସେଥିପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ । ଯଦି ଲୋକଙ୍କ ହାତରେ ଅଧିକ ପରିମାଣର ଟଙ୍କା ନପହଞ୍ଚିବ ଲୋକମାନଙ୍କ ପାଖରେ ବାହାରକୁ ବାହାରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବାନାର୍ଜୀ ଓ ଡଫ୍ଲୋ ଲେଖିଛନ୍ତି। ଦେଶରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ ଗରିବ ବର୍ଗର ଲୋକମାନେ ସାମ୍ନା କରୁଥିବା ଅସୁବିଧାକୁ ଦୂର କରିବା ଲାଗି ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲକ୍ ଡାଉନ୍ ଅବଧି ଶେଷ ହେବା ପରେ ଯେ ଦେଶରୁ କରୋନା ଭୟ ହଟିଯାଇଥିବ ତାହା ଭାବିବା ଭୁଲ ବୋଲି ସେମାନେ କହିଛନ୍ତି। କରୋନା ଭୂତାଣୁର ଲକ୍ଷଣକୁ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ। ଆଶା କର୍ମୀମାନଙ୍କୁ ସଜାଗ ରଖିବାକୁ ହେବ। ଏକ ହଟ୍‌ଲାଇନ୍ ଜାରି କରିବାକୁ ପଡ଼ିବ। ଲୋକମାନେ ସଚେତନ ଥିଲେ ଯଦି ସେମାନଙ୍କ ନଜରରେ କୌଣସି କରୋନା ରୋଗୀ ଆସନ୍ତି ତେବେ ତାଙ୍କ ବିଷୟରେ ସ୍ଥାନୀୟ ଲୋକମାନେ ସୂଚନା ଦେଇପାରିବେ। ଯଦି ସେଭଳି ବ୍ୟବସ୍ଥା କରାନଯିବ ତେବେ କେତେ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡ଼ିବ ନାହିଁ। ଅନେକ ମାମଲାରେ ଆକ୍ରାନ୍ତ ରୋଗୀଙ୍କ ଦ୍ବାରା ଆଉ କେତେ ଲୋକ ସଂକ୍ରମିତ ହୋଇଛନ୍ତି ତାହା ଜାଣିବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର