ନୂଆଦିଲ୍ଲୀ: ବ୍ୟବହୃତ ହୋଇଥିବା ଗାଡ଼ି ବିକ୍ରି କରିବା ଲାଗି ଲୋକମାନେ ଜନ ସେବା କେନ୍ଦ୍ର (ସିଏସ୍ସି)ରୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ୍ (ଏନ୍ଓସି) ପାଇପାରିବେ। ଏହି ସେବା ପ୍ରଦାନ କରିବା ଲାଗି ସରକାର ସୃଷ୍ଟି କରିଥିବା ସଂସ୍ଥା ସିଏସ୍ସି ଇ-ଗଭର୍ଣ୍ଣାସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ସାରା ଦେଶରେ ଥିବା ପ୍ରାୟ ଚାରି ଲକ୍ଷ ଜନ ସେବା କେନ୍ଦ୍ରରେ ଏହି ସୁବିଧା ମିଳିବ। ଗୃହ ସଚିବ ଅଜୟ ଭଲ୍ଲା ଓ ଏନ୍ସିଆର୍ବିର ନିର୍ଦେଶକ ରାମ ଫାଲ୍ ପାୱାରଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ କରାଯାଇଛି।
ଅପରାଧ ଓ ଅପରାଧୀ ଟ୍ରାକିଂ ନେଟ୍ୱର୍କ ସିଷ୍ଟମ୍କୁ ଡିଜିଟାଲ୍ ସେବା ପୋର୍ଟାଲ୍ ସହ ସମନ୍ବିତ କରିବା ଲାଗି ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଏହା ଦ୍ବାରା ନାଗରିକମାନଙ୍କୁ ସିଏସ୍ସି ଜରିଆରେ ଏନ୍ଓସି ପ୍ରଦାନ କରିବା ସହଜ ହେବ। ଏହି ସେବା ବିଷୟରେ ଜନ ସେବା କେନ୍ଦ୍ରଗୁଡ଼ିକ ଖୁବ୍ଶୀଘ୍ର ସଚେତନତା ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ବ୍ୟବହୃତ ଗାଡ଼ି କିଣିବାକୁ ଚାହୁଥିବା ଗ୍ରାହକମାନେ ଗାଡ଼ିଟି କୌଣସି ଅପରାଧରେ ବ୍ୟବହୃତ ହୋଇଥିଲା ନା ନାହିଁ କିମ୍ବା କୌଣସି ଅପରାଧ ସହିତ ତାହାର ସମ୍ପର୍କ ରହିଛି ନା ନାହିଁ ତାହା ଏନ୍ଓସିରୁଜାଣିପାରିବେ। ଗାଡ଼ି ମାଲିକାନା ହସ୍ତାନ୍ତର ପୂର୍ବରୁ ଏନ୍ଓସି ଦାଖଲ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି।
ଏହି ଅବସରରେ ସିଏସ୍ସି ଏସ୍ପିଭିର ଏମ୍ଡି ଦୀନେଶ ତ୍ୟାଗି କହିଛନ୍ତି ଯେ ବ୍ୟକ୍ତିଗତ ହେଉ ଅଥବା ବାଣିଜ୍ୟିକ ବ୍ୟବହାର ସବୁ କ୍ଷେଥ୍ୟରେ ବ୍ୟବହୃତ ହୋଇଥିବା ଗାଡ଼ି (ୟୁଜ୍ଡ ଭେଇକିଲ୍)ର ଚାହିଦା ବଢ଼ିବାରେ ଲାଗିଛି। ଏହି ଗାଡ଼ିଗୁଡ଼ିକ ଯେଭଳି ସହଜରେ କିଣାବିକା ହୋଇପାରିବ ସେଥିରେ ସହାୟତା ପ୍ରଦାନ କରିବା ଲାଗି ଆମେ ସିଏସ୍ସି ମାଧ୍ୟମରେ ଏନ୍ଓସି ଜାରି କରିବାକୁ ଯାଉଛୁ। ଏହା ଦ୍ବାରା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସେମାନଙ୍କୁ ଏନ୍ଓସି ଆଣିବା ଲାଗି ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍ସିଆର୍ବି ଅଧିକାରୀଙ୍କ ନିକଟକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସିଏସ୍ସି ଏସ୍ପିଭି ହେଉଛି କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ ସ୍ଥାପନ କରାଯାଇଥିବା ଏକ ସଂସ୍ଥା।