ବ୍ୟାଙ୍କ ଭଳି ଗାଡ଼ି ପାଇଁ ନୋମିନି ବ୍ୟବସ୍ଥା, ତିନି ମାସ ଭିତରେ ମାଲିକାନା ହସ୍ତାନ୍ତର କରିବାକୁ ହେବ

ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କୁ ମାସକ ଭିତରେ ଗାଡ଼ି ମାଲିକଙ୍କ ମୃତ୍ୟୁ ସୂଚନା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ବ୍ୟାଙ୍କ ଖାତା ଭଳି ଗାଡ଼ି ପାଇଁ ମଧ୍ୟ ଲୋକମାନେ ନୋମିନି ନିଯୁକ୍ତ କରିପାରିବେ। ଗାଡ଼ି ପଞ୍ଜୀକରଣ କରିବା ସମୟରେ କିମ୍ବା ଗାଡ଼ି କିଣିବା ପରେ ଯେକୌଣସି ସମୟରେ ନୋମିନି ନିଯୁକ୍ତ କରିହେବ। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି। ଗତ ଏପ୍ରିଲ୍‌ ୮ରେ ଏ ସମ୍ପର୍କିତ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମାଲିକମାନେ ଗାଡ଼ି କିଣିବା ପରେ ଯେକୌଣସି ସମୟରେ ଅନ୍‌ଲାଇନ୍ ମାଧ୍ୟମରେ ନୋମିନିଙ୍କ ନାମ ଦେଇପାରିବେ। ଗାଡ଼ିର ମାଲିକାନା ହସ୍ତାନ୍ତର ପ୍ରକ୍ରିୟାକୁ ସହଜ କରିବା ଲାଗି ମନ୍ତ୍ରଣାଳୟ ଏଭଳି ପଦ‌କ୍ଷେପ ଗ୍ରହଣ କରିଛି। ପ୍ରକୃତ ମାଲିକଙ୍କ ମୃତ୍ୟୁ ହେଲେ ନୋମିନିଙ୍କ ଜରିଆରେ ଉକ୍ତ ଗାଡ଼ିର ମାଲିକାନା ଟ୍ରାନ୍ସଫର ହୋଇପାରିବ। ବ୍ୟାଙ୍କ ଖାତା ପାଇଁ ଯେଉଁଭଳି ନୋମିନି ନିଯୁକ୍ତ କରାଯାଉଛି ଠିକ୍ ସେହି ପ୍ରକ୍ରିୟାରେ ଗାଡ଼ି ପାଇଁ ନୋମିନି ନିଯୁକ୍ତ କରାଯାଇପାରିବ।

ପୂର୍ବରୁ ଏଭଳି କୌଣସି ବ୍ୟବସ୍ଥା ନଥିଲା। ଫଳରେ ପ୍ରକୃତ ଗାଡ଼ି ମାଲିକଙ୍କ ମୃତ୍ୟୁ ଭଳି ମାମଲାରେ ସେହି ଗାଡ଼ିକୁ ବିକ୍ରି କରିବା ବେଶ କଷ୍ଟକର ହୋଇପଡ଼ୁଥିଲା। ଦେଶର ବିଭିନ୍ନ ରାଜ୍ୟରେ ଏନେଇ ଭିନ୍ନ ଭିନ୍ନ ନିୟମ ରହିଥିବାରୁ ମାଲିକାନା ପରିବର୍ତ୍ତନ କରିବା ସହଜ ହେଉନଥିଲା। ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ‌ଦୌଡ଼ିବା ପରେ ଏହି କାମ ହୋଇପାରୁଥିଲା। କେନ୍ଦ୍ରୀୟ ମୋଟର ଯାନ ଆଇନରେ କରାଯାଇଥିବା ସଂଶୋଧନ ଅନୁଯାୟୀ, ଯଦି ଗାଡ଼ିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୁଏ ତେବେ ଯାହାଙ୍କୁ ସେ ନୋମିନି ଭାବେ ନିଯୁକ୍ତ କରିଥିଲେ ସେ ତିନି ମାସ ପାଇଁ ଉକ୍ତ ଗାଡ଼ିର ମାଲିକ ବୋଲି ବିଚାର କରାଯିବ। କିନ୍ତୁ ମାଲିକଙ୍କ ମୃତ୍ୟୁର ୩୦ ଦିନ ଭିତରେ ସେ ବିଷୟରେ ନୋମିନିଙ୍କୁ ଗାଡ଼ି ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ହେବ। ‌ନୋମିନି ଏହା ମଧ୍ୟ ଜଣାଇବେ ଯେ ସେ ଗାଡ଼ିକୁ ନିଜେ ବ୍ୟବହାର କରିବାକୁ ଚାହୁଛନ୍ତି ନା ଅନ୍ୟ କାହାକୁ ବିକ୍ରି କରିବାକୁ ଚାହୁଛନ୍ତି। ଗାଡ଼ିକୁ ବିକିବାକୁ ଚାହୁଥିଲେ ତିନି ମାସ ଭିତରେ ସେଥିପାଇଁ ଆବେଦନ କରବାକୁ ପଡ଼ିବ।

ମାଲିକାନା ପରିବର୍ତ୍ତନ ଲାଗି ଫର୍ମ ୩୧ ସହ ଆବଶ୍ୟକ ଫି’, ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍, ବୀମା ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ, ଆବଶ୍ୟକ ସ୍ଥଳେ ପର୍‌ମିଟ୍‌ ଏବଂ ନୋମିନିଙ୍କ ପରିଚୟପତ୍ରର ପ୍ରମାଣ ଦେବାକୁ ହେବ। ଯଦି ପ୍ରକୃତ ଗାଡ଼ି ମାଲିକ ନୋମିନି ନିଯୁକ୍ତ କରିନଥିବେ ତେବେ ସେଭଳି ମାମଲାରେ ଯଦି ତାଙ୍କର କୌଣସି ଇଚ୍ଛାପତ୍ର ଥିବ ସେହି ଅନୁସାରେ ଗାଡ଼ିର ପରବର୍ତୀ ମାଲିକ କିଏ ହେବେ ତାହା ଧାର୍ଯ୍ୟ କରାଯିବ। ଯଦି ତାଙ୍କର କୌଣସି ଇଚ୍ଛାପତ୍ର ନଥିବ ତେବେ ମାଲିକଙ୍କ ମୃତ୍ୟୁର ତିନି ମାସ ଭିତରେ ଗାଡ଼ି ପଞ୍ଜୀକରଣ କର୍ତ୍ତୃପକ୍ଷ ତାଙ୍କର କୌଣସି ଆଇନଗତ ଉତ୍ତରାଧିକାରୀଙ୍କ ନାମକୁ ଉକ୍ତ ଗାଡ଼ିର ମାଲିକାନା ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର