ଅଣଏସି ସ୍ଲିପର୍‌ ଇତିହାସ ପାଲଟିବ, ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ର ସବୁ‌ କୋଚ୍‌ରେ ଏସି

ଟ୍ରେନ୍‌ ବେଗ ଘଣ୍ଟା ପ୍ରତି ୧୩୦ କିମି/୧୬୦ କିମିକୁ ବୃଦ୍ଧି ପାଇବ

ଆଠ ଉତ୍ପାଦନ ୟୁନିଟ୍‌ର ମିଶ୍ରଣ ହେବ
ରେଳବାଇ ପ୍ରଯୁକ୍ତି ଦୃଷ୍ଟିରୁ ଉତ୍କୃଷ୍ଟ କୋଚ୍‌ ଓ ଲୋକୋମୋଟିଭ୍‌ ତିଆରି କରି ଭାରତକୁ ବିଶ୍ବର ଏକ ପ୍ରମୁଖ କୋଚ୍‌ ରପ୍ତାନିକାରୀ ପେଣ୍ଠସ୍ଥଳରେ ପରିଣତ କରିବାକୁ ଚାହୁଛି। ସେଥିପାଇଁ ସମସ୍ତ ଉତ୍ପାଦନ କାରଖାନାର ଉନ୍ନତୀକରଣ କରିବାକୁ ପଡ଼ିବ। ହାଇସ୍ପିଡ୍‌ ଟ୍ରେନ୍‌ର କୋଚ୍‌ ମଧ୍ୟ ରେଳବାଇ ତିଆରି କରିବ। ଗୋଟିଏ ସ୍ଥାନରେ ହାଇସ୍ପିଡ୍, ସେମି ହାଇସ୍ପିଡ୍ ଓ ମେଟ୍ରୋ କୋଚ୍‌ ତିଆରି କରିବାର ଯୋଜନା ରହିଛି। ରେଳବାଇର ଆଠଟି ଉତ୍ପାଦନ ୟୁନିଟ୍‌କୁ ମିଶାଇ ଦୁଇଟି ନୂଆ ୟୁନିଟ୍ ଗଠନ କରାଯିବ। ଗୋଟିଏ ୟୁନିଟ୍ ଲୋକୋମୋଟିଭ୍ ଉତ୍ପାଦନ କରିବ ଏବଂ ଅନ୍ୟ ୟୁନିଟ୍‌ କୋଚ୍‌ ନିର୍ମାଣ ଦାୟିତ୍ବରେ ରହିବ। ଅନ୍ୟତମ ରେଳ ପିଏସ୍‌ୟୁ ରାଇଟସ୍‌ର ସମ୍ପୂର୍ଣ୍ଣ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହି ରିପୋର୍ଟ ମିଳିବା ପରେ ମିଶ୍ରଣ ପ୍ରକ୍ରିୟା ଆଗକୁ ବଢ଼ିବ।

ସାତ ହାଇସ୍ପିଡ୍‌ କରିଡର୍‌ ପାଇଁ ଯୋଜନା ମୁମ୍ବାଇ ଓ ଅହମ୍ମଦାବାଦ ଭିତରେ ହାଇସ୍ପିଡ୍ କରିଡର୍‌ ନିର୍ମାଣ କରାଯାଉଛି। ଏହା ବ୍ୟତୀତ ଆଉ ସାତଟି ହାଇସ୍ପିଡ୍ କରିଡର ସ୍ଥାପନ କରିବାକୁ ଯୋଜନା ରହିଛି। ସେଗୁଡ଼ିକ ହେଉଛି ଦିଲ୍ଲୀ-ବାରାଣାସୀ, ମୁମ୍ବାଇ-ନାଗପୁର, ଅହମ୍ମଦାବାଦ-ଦିଲ୍ଲୀ, ଚେନ୍ନାଇ-ମହୀଶୂର, ଦିଲ୍ଲୀ-ଅମୃତସର, ମୁମ୍ବାଇ-ହାଇଦ୍ରାବାଦ ଓ ବାରାଣାସୀ-କୋଲକାତା କରିଡର। ଏହି କରିଡର୍‌ଗୁଡ଼ିକରେ ଘଣ୍ଟା ପିଛା ୩୦୦ କିମି ବେଗରେ ଯାତ୍ରା କରୁଥିବା ହାଇସ୍ପିଡ୍ ଟ୍ରେନ୍ କିମ୍ବା ୧୬୦ କିମି ବଗରେ ଯାତ୍ରା କରୁଥିବା ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରିବ। ଫିଜିବିଲିଟି ରିପୋର୍ଟ ମିଳିବା ପରେ ରେଳବାଇ ପକ୍ଷରୁ ‌ଟ୍ରେନ୍‌ର ଗତି କେତେ ରହିବ ତାହା ଧାର୍ଯ୍ୟ କରାଯିବ।

୧.୬ ଲକ୍ଷ କୋଟି ଆୟ ଲକ୍ଷ୍ୟ
କରୋନା ମହାମାରୀ ଯାତ୍ରୀବାହୀ ଟ୍ରେନ୍‌ କ୍ଷେତ୍ରରୁ ହେଉଥିବା ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଗତବର୍ଷ ରେଳବାଇ ପକ୍ଷରୁ ୧.୭୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ କରାଯାଇଥିଲା। ଚଳିତ ବର୍ଷ ମହାମାରୀ ସତ୍ତ୍ବେ ମାଲ ପରିବହନରୁ ଜବରଦସ୍ତ ଆୟ ହେଉଥିବାରୁ ରେଳବାଇର ରାଜସ୍ବ ପରିମାଣ ୧.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ବ୍ୟୟ ପରିମାଣ ହ୍ରାସ କରି ଚଳିତ ବର୍ଷ ହେବାକୁ ଥିବା କ୍ଷତିର ମାତ୍ରା କମ୍ କରିବା ଉପରେ ରେଳବାଇ ବିଚାର କରୁଛି। କର୍ମଚାରୀଙ୍କ ବେତନ ଓ ପେନ୍‌ସନ୍ ବାବଦରେ ରେଳବାଇ ବିପୁଳ ପରିମାଣର ବ୍ୟୟ କରୁଛି। କର୍ମଚାରୀ ତୁଳନାରେ ପେନ୍‌ସନ୍‌ଭୋଗୀଙ୍କ ସଂଖ୍ୟା ଅଧିକ। ୨୦୦୪ ପର୍ଯ୍ୟନ୍ତ ରେଳବାଇ ପେନ୍‌ସନ୍‌ ପାଣ୍ଠି ସ୍ଥାପନ କରିନଥିଲା। ତାହା ଏକ ‌ଐତିହାସିକ ଭୁଲ ଥିଲା ବୋଲି କୁହାଯାଉଛି। ରେଳବାଇ ଏହାର ପରିଚାଳନା ଖର୍ଚ୍ଚରେ ପେନ୍‌ସନ୍ ବାବଦ ବ୍ୟୟକୁ ସାମିଲ କରୁଛି। ସେଥିପାଇଁ ଏହାର ପରିଚାଳନା ଅନୁପାତ ୧୦୦ ପ୍ରତିଶତ ରହିଛି। ଅର୍ଥାତ ଯେତିକି ଟଙ୍କା ଆୟ ହେଉଛି ସେତିକି ବ୍ୟୟ ହେଉଛି। ଯଦି ପେନ୍‌ସନ୍‌କୁ ପରିଚାଳନା ବ୍ୟୟରୁ ବାଦ ଦିଆଯିବ ତେବେ ରେଳବାଇ ଏକ ଅଧିକ ଲାଭ କରୁଥିବା ସଂସ୍ଥାରେ ପରିଗଣିତ ହୋଇପାରିବ। ରେଳବାଇ ରାଜସ୍ବ ବଳକା ଥିବା ପର୍ଯ୍ୟନ୍ତ ପେନ୍‌ସନ୍ ପ୍ରଦାନ ପ୍ରକ୍ରିୟା ସ୍ବାଭାବିକ ରହିବ। ମାତ୍ର ଯଦି ପେନ୍‌ସନ୍‌ରେ ହେଉଥିବା ବ୍ୟୟର କିଛି ଭାଗ ସରକାର ପ୍ରଦାନ କରନ୍ତେ ତେବେ ଭବିଷ୍ୟତର ପ୍ରକଳ୍ପରେ ହେଉଥିବା ବ୍ୟୟ ପାଇଁ ଅଧିକ ଟଙ୍କା ବଳକା ରହିପାରନ୍ତା ବୋଲି ରେଳବାଇ ଭାବୁଛି।

୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍‌
ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ବେଗ ବଢ଼ାଇବା ଲାଗି ଏକ ସ୍ବତନ୍ତ୍ର ଯୋଜନା ଉପରେ ‌ରେଳବାଇ କାର୍ଯ୍ୟ କରୁଛି। ଆସନ୍ତା ଦୁଇ ବର୍ଷ ସମସ୍ତ ମେଲ୍ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ର ବେଗକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚାଇବାକୁ ରେଳବାଇ ଯୋଜନା ରଖିଛି। ପ୍ରଥମେ ‌ସ୍ବର୍ଣ୍ଣ ଚତୁର୍ଭୁଜ ସେକ୍ସନରେ ଟ୍ରେନ୍‌ଗୁଡ଼ିକର ବେଗ ବୃଦ୍ଧି କରାଯିବ। ୨୦୨୫ ସୁଦ୍ଧା ଟ୍ରେନ୍‌ର ବେଗ ଘଣ୍ଟାପିଛା ୧୬୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଦ୍ରୁତ ଗତିରେ ଚାଲିବାକୁ ଥିବା ଟ୍ରେନ୍‌ଗୁଡ଼ିକ କେବଳ ବଡ଼ ଷ୍ଟେସନରେ ରହିବ। ସେଠାରେ ଯାତ୍ରୀମାନେ ଓହ୍ଲାଇ ଅନ୍ୟ କନେକ୍ଟିଂ ଟ୍ରେନ୍ ଜରିଆରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ। ଟ୍ରେନ୍‌ର ବେଗ ୧୩୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ସ୍ଲିପ୍‌ର କିମ୍ବା ଅଣ-ଏସି କୋଚ୍‌ଗୁଡ଼ିକୁ ନେଇ ଅନେକ ବୈଷୟିକ ସମସ୍ୟା ଦେଖାଦେବ। ପବନ ଓ ଧୂଳି ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହେବ। ତେଣୁ ପର୍ଯ୍ୟାୟକ୍ରମେ ୧୯୦୦ ଟ୍ରେନ୍‌ରୁ ଅଣ-ଏସି କୋଚ୍‌ଗୁଡ଼ିକୁ ହଟାଇ ଦିଆଯିବ।

ଟିକଟ୍‌ ଦାମ୍ ଅଣଏସି ସ୍ଲିପର୍‌ଠୁ ଅଧିକ ରହିବ
ଆସନ୍ତା ଆର୍ଥିକ ବର୍ଷ ଠାରୁ ରେଳବାଇର କପୁରତାଲାରେ ଥିବା କାରଖାନାରେ ଏସି କୋଚ୍‌ଗୁଡ଼ିକୁ ନିର୍ମାଣ କରାଯିବ। ‌କୋଚ୍‌ଗୁଡ଼ିକରେ ଅଧିକ ବର୍ଥ ରହିବ। କୋଚ୍‌ ଭିତରେ ୭୨ ବଦଳରେ ୮୩ଟି ବର୍ଥ ରହିବ। ଏସି ସୁବିଧା ଦିଆଯିବା ସତ୍ତ୍ବେ ଏହି କୋଚ୍‌ଗୁଡ଼ିକରେ ଟିକଟ୍‌ ଦାମ୍ ବର୍ତ୍ତମାନର ଏସି କୋଚ୍‌ ଟିକଟ ଦାମ୍ ଠାରୁ ଶସ୍ତା ରହିବ। ମାତ୍ର ସ୍ଲିପର୍‌ କ୍ଲାସ୍‌ ଟିକଟ ଦାମ୍‌ ଠାରୁ ତାହା ଅଧିକ ରହିବ। ଏସି ଓ ସ୍ଲିପର୍‌ ଟିକଟର ମଝାମଝି ଦାମ୍‌ ଧାର୍ଯ୍ୟ କରାଯିବ। ଟ୍ରେନ୍‌ଗୁଡ଼ିକରେ ଏସି-୧, ୨ ଟାୟାର, ୩-ଟାୟାର ଭଳି ବ୍ୟବସ୍ଥା ମଧ୍ୟ ଜାରି ରହିବ। କମ୍ ବେଗରେ ଯାତ୍ରା କରୁଥିବା ଟ୍ରେନ୍ ଓ ଲୋକାଲ୍ ଟ୍ରେନ୍‌ଗୁଡ଼ିକରେ ଅଣଏସି ‌କୋଚ୍‌ ରହିବ। ମାତ୍ର ସେହି ଟ୍ରେନ୍‌ଗୁଡ଼ିକୁ ଅତ୍ୟାଧୁନିକ ମେମୁ ଟ୍ରେନ୍‌ ମାଧ୍ୟମରେ ବଦଳାଇ ଦିଆଯିବ।

୪୪ ବନ୍ଦେ ଭାରତ ଟ୍ରେନ୍‌ ଆସିବ
ରେଳବାଇ ନିଜସ୍ବ ଜ୍ଞାନକୌଶଳକୁ ବ୍ୟବହାର କରି ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବିକଶିତ କରିଥିଲା। ମାତ୍ର ସେଥିରେ କେତେକ ବୈଷୟିକ ସମସ୍ୟା ରହିଛି। ଯେଭଳି ତାହା ଅଧିକ ଶକ୍ତି ବ୍ୟବହାର କରୁଛି। ତେଣୁ ବାହାରୁ ୪୪ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ବରାଦ ଦିଆଯାଇଛି। ଏହା ପଛର ଉଦ୍ଦେଶ୍ୟ ହେଉଛି ଦେଶକୁ ଉନ୍ନତ ପ୍ରଯୁକ୍ତି ଆଣିବା। ଟ୍ରେନ୍‌ର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇବ। ଆଧୁନିକ ଟ୍ରେନ୍‌ର ଏକ ନମୁନାକୁ ରେଳବାଇ ପ୍ରସ୍ତୁତ କରିଛି। ଆଲୁମିନିୟମ୍‌ରେ ତାହା ତିଆରି ହୋଇଛି। ରାଏବରେଲିରେ ଥିବା ମଡର୍ଣ୍ଣ କୋଚ୍‌ ଫ୍ୟାକ୍ଟ୍ରିରେ ତାହାକୁ ନିର୍ମାଣ କରାଯିବ। ୨୦୨୨ ସୁଦ୍ଧା ଏହି ଟ୍ରେନ୍‌ ସାମ୍ନାକୁ ଆସିବ। ଆଲୁମିନିୟମରେ ତିଆରି ଟ୍ରେନ୍ ହାଲୁକା ରହିବ। ତାହାର ବେଗ ମଧ୍ୟ ଭଲ ରହିବ ଏବଂ କମ୍ ଶକ୍ତି ଦରକାର କରିବ।

ସମ୍ବନ୍ଧିତ ଖବର