ନୂଆଦିଲ୍ଲୀ: ମୋବାଇଲ୍ ସିମ୍ ହାସଲ କରିବା ପାଇଁ ଆଧାର କାର୍ଡ ଦରକାର ନାହିଁ। ଗ୍ରାହକମାନେ ଅନ୍ୟ ପରିଚୟପତ୍ର ଦେଇ ସିମ୍ ହାସଲ କରିପାରିବେ। ମୋବାଇଲ୍ ସିମ୍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଗ୍ରାହକମାନେ ଦେଉଥିବା ଅନ୍ୟ ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ପାସ୍ପୋର୍ଟ ଓ ଭୋଟର ପରିଚୟପତ୍ରକୁ ଗ୍ରହଣ କରି ସିମ୍ ପ୍ରଦାନ କରିବାକୁ କଂପାନିଗୁଡ଼ିକୁ ସରକାର ନିର୍ଦେଶ ଦେଇଛନ୍ତି। ଗ୍ରାହକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖନୀ ନହୁଅନ୍ତି ତାହାକୁ ନିଶ୍ଚିତ କରିବା ପାଇଁ କଂପାନିଗୁଡ଼ିକ ଶୀଘ୍ର ଏହି ନିର୍ଦେଶକୁ ପାଳନ କରିବା ଦରକାର ବୋଲି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ୍ କହିଛନ୍ତି। ମୋବାଇଲ୍ ସେବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯିବାକୁ ନେଇ କିଛି ଦିନ ତଳେ ସରକାରଙ୍କୁ ସୁପ୍ରିମକୋର୍ଟ ସମାଲୋଚନା କରିିଥିଲେ। ଅତୀତରେ ଦିଆଯାଇଥିବା ଏକ ରାୟର ଭୁଲ ତର୍ଜମା କରି ମୋବାଇଲ୍ ସହ ଆଧାର ସଂଯୋଗକୁ ସରକାର ବାଧ୍ୟତାମୂଳକ କରିଥିବା କୋର୍ଟ କହିଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ ଆମେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍ ଗ୍ରାହକଙ୍କ ପରିଚୟକୁ ଯାଞ୍ଚ କରିବାକୁ କହିଥିଲୁ। କେବେ ବି ଆଧାରକୁ ବାଧ୍ୟତାମୂଳକ କରିବା କଥା କହିନାହୁଁ। ଏହାର କିଛି ଦିନ ପରେ ସରକାର ମୋବାଇଲ୍ ନମ୍ବର ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି। ଆଧାର ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାନଯିବା ପର୍ଯ୍ୟନ୍ତ ମୋବାଇଲ୍ ସିମ୍ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି। ମୋବାଇଲ୍ ନମ୍ବର ସହିତ ଆଧାର ଲିଙ୍କ୍ କରାଇବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ କଂପାନିଗୁଡ଼ିକୁ କୁହାଯାଇଥିଲା। ଏହି ନିର୍ଦେଶ ପାଇବା ପରେ କଂପାନିଗୁଡ଼ିକ ଗ୍ରାହକମାନଙ୍କ ପଛରେ ପଡ଼ିଯାଇଥିଲେ। ସେମାନଙ୍କୁ ବାରମ୍ବାର ଏସ୍ଏମ୍ଏସ୍ ଦେଉଥିଲେ। ଆଧାରକୁ ବାଧ୍ୟତାମୂଳକ କରାଯିବା ପରେ ଅନେକ ଲୋକ ମୋବାଇଲ୍ ସିମ୍ ପାଇବାରୁ ବଞ୍ଚିତ ହୋଇଥିଲେ। ଯେହେତୁ ସବୁ ଲୋକଙ୍କ ପାଖରେ ଆଧାର ନାହିଁ ତେଣୁ ସେହି ବାହାନାରେ କାହାକୁ ସିମ୍ ପାଇବାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମୋବାଇଲ୍ କଂପାନିଗୁଡ଼ିକ କୌଣସି ମତାମତ ପ୍ରଦାନ କରିନାହାନ୍ତି।
ବିମାନରେ ଓ୍ଵାଇ-ଫାଇ ନେଇ ଭିନ୍ନମତ
ନୂଆଦିଲ୍ଲୀ,: ବିମାନରେ ଓ୍ଵାଇ-ଫାଇ ସେବାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। କିଛି ଲୋକ ଏହାକୁ ନେଇ ଆଶଂକା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକମାନେ ଜଣାଇଛନ୍ତି ଯେ ବିମାନ ଭିତରେ ଫୋନ୍ କଲ୍ ସୁବିଧା ପ୍ରଦାନ କଲେ ଅନେକ ପ୍ରକାର ଅସୁବିଧା ସୃଷ୍ଟି ହେବ। ନିଜ ପାଖ ସିଟ୍ରେ ବସିଥିବା ବ୍ୟକ୍ତି ଯଦି ବଡ଼ ପାଟିରେ ନିଜ ଫୋନ୍ରେ କଥା ହେବେ ତେବେ ଅନ୍ୟମାନେ ଅସୁବିଧା ସାମ୍ନା କରିବେ। ଅନ୍ୟ କିଛି ଲୋକ ଲେଖିଛନ୍ତି ଯେ ଏହି ସେବା ମିଳିବା ପରେ ବିମାନ ଭିତରେ କିଛି ନିର୍ଦିଷ୍ଟ ‘ଶାନ୍ତ ଜୋନ୍’ ରହିବ କି? ବିମାନରେ ଇଣ୍ଟରନେଟ୍ ଓ କଲ୍ ସେବାକୁ ଖୁବ୍ଶୀଘ୍ର ଆରମ୍ଭ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପୂର୍ବରୁ ବିମାନ କଂପାନିଗୁଡ଼ିକ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛନ୍ତି। ଏହି ସେବା ପାଇଁ ଯାତ୍ରୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯିବ ବୋଲି ସେମାନେ ଜଣାଇଛନ୍ତି।