ମୋବାଇଲ୍ ନମ୍ବର ୧୧ ଅଙ୍କ ହେବନି

ନୂଆଦିଲ୍ଲୀ : ଦେଶରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ପ୍ରଚଳନରେ ରହିଛି। ତାହାକୁ ୧୧ ଅଙ୍କ କରିବାର କୌଣସି ଯୋଜନା ନାହିଁ ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସ୍ପଷ୍ଟ କରିଛି। ତେବେ ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍ ନମ୍ବରକୁ ଫୋନ୍ କରିବା ବେଳେ ନମ୍ବର ପୂର୍ବରୁ ‘୦’ ଯୋଡ଼ିବା ଲାଗି ଏହା ପ୍ରସ୍ତାବ ଦେଇଛି। ଏହା ଦ୍ବାରା ମୋବାଇଲ୍ ସେବା ପାଇଁ ୨୫୪ କୋଟି ଅତିରିକ୍ତ ନମ୍ବର ସୃଷ୍ଟି କରିବ ଯାହାକୁ ଭବିଷ୍ୟତରେ ମୋବାଇଲ୍‌ ସେବା ଲାଗି ବ୍ୟବହାର କରାଯାଇପାରିବ ବୋଲି ଟ୍ରାଇ ଜଣାଇଛି।

ଫୋନ୍ ନମ୍ବରକୁ ନେଇ ଟ୍ରାଇ ଏହାର ସୁପାରସ ଜାରି କରିଛି। ଏଥିରେ ଜଣାଇଛି ଯେ ବର୍ତ୍ତମାନ ନମ୍ବର ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ବିଭିନ୍ନ ଉପାୟରେ ଅଧିକ ନମ୍ବର ସୃଷ୍ଟି କରାଯାଇଛି। କୌଣସି ନମ୍ବର ପୂର୍ବରୁ ‘୦’ ଯୋଗ କରି ଅତିରିକ୍ତ ନମ୍ବର ସୃଷ୍ଟି ହୋଇପାରିବ। ଏଭଳି ଅନେକ ବିକଳ୍ପ ରହିଛି ବୋଲି ଟ୍ରାଇ କହିଛି। ଲ୍ୟାଣ୍ଡ୍‌ଲାଇନ୍‌ରୁ ଲ୍ୟାଣ୍ଡ୍‌ଲାଇନ୍‌କୁ, ମୋବାଇଲ୍‌ରୁ ଲ୍ୟାଣ୍ଡ୍‌ଲାଇନ୍‌କୁ କିମ୍ବା ମୋବାଇଲ୍‌ରୁ ମୋବାଇଲ୍‌କୁ କଲ୍ କରିବା ବେଳେ ନମ୍ବର ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଟ୍ରାଇ କହିଛି।

ଫୋନ୍ ନମ୍ବରକୁ ନେଇ ନିକଟରେ ‌ଟେଲିକମ୍ କଂପାନିଗୁଡ଼ିକ ସହିତ ଆଲୋଚନା ହୋଇଥିଲା। ମୋବାଇଲ୍‌ ନମ୍ବର ସଂଖ୍ୟାକୁ ୧୧ ଅଙ୍କ ପର୍ଯ୍ୟନ୍ତ ବୃଦ୍ଧି କରିବାର ପ୍ରସ୍ତାବକୁ କଂପାନିଗୁଡ଼ିକ ଦୃଢ଼ ଭାବେ ବିରୋଧ କରିଥିଲେ। ସେମ‌ାନେ ଯୁକ୍ତି କରିଥିଲେ ଯେ ମୋବାଇଲ୍ ନମ୍ବର ୧୧ ଅଙ୍କର ହେଲେ ଉଭୟ ହାର୍ଡଓୟାର ଓ ସଫ୍ଟଓୟା‌ରରେ ବଡ଼ଧରଣର ପରିବର୍ତ୍ତନ କରିବାକୁ ପଡ଼ିବ। ସେଥିରେ ବିପୁଳ ଖର୍ଚ୍ଚ ହେବ। ଏହା ଗ୍ରାହକଙ୍କ ପାଇଁ ମଧ୍ୟ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିବ ବୋଲି କଂପାନିଗୁଡ଼ିକ କହିଥିଲେ। ମୋବାଇଲ୍‌ ନମ୍ବରର ଅଙ୍କକୁ ୧୦ରୁ ୧୧କୁ ବଢ଼ାଇଲେ ନମ୍ବର ଡାଏଲ୍‌ କରିବା ବେଳେ ‌ଗ୍ରାହକମାନେ ଅନେକ ଭୁଲ୍ କରିବେ। ଗ୍ରାହକମାନଙ୍କୁ ନିଜ ଫୋନ୍‌ରେ ସେଭ୍‌ ଥିବା ନମ୍ବରଗୁଡ଼ିକୁ ପୁଣି ଥରେ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଗ୍ରାହକମାନେ ବାରମ୍ବାର ଭୁଲ୍‌ ନମ୍ବର ଡାଏଲ୍‌ କଲେ ଟେଲିକମ୍ ଟ୍ରାଫିକ୍ ଉପରେ ଚାପ ସୃଷ୍ଟି ହେବ। ଏହା ଦ୍ବାରା କଂପାନିଗୁଡ଼ିକର ରାଜସ୍ବ ହାନି ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର