ଲୋକଙ୍କ ଆଧାର ତଥ୍ୟ ସଂଗ୍ରହ କରୁନାହୁଁ : ଫେସବୁକ୍‌

ନୂଆଦିଲ୍ଲୀ: ଆଧାରକାର୍ଡରେ ଥିବା ନାଁ ଅନୁସାରେ ଆକାଉଣ୍ଟ ଖୋଲିବା ପାଇଁ ଫେସବୁକ୍‌ ପକ୍ଷରୁ ପରୀକ୍ଷା କରାଯାଉଥିବା ଖବର ଆସିବା ପରେ ସାରା ଦେଶରେ ତାକୁ ନେଇ ଚର୍ଚା ଜୋର ଧରିଛି । ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି । କେତେକ ଏହାକୁ ସ୍ୱାଗତ କରିଥିବାବେଳେ ଆଉ କେତେକ ସଂଦେହ ଦୃଷ୍ଟିରେ ଦେଖୁଛନ୍ତି । ସରକାରଙ୍କ ଚାପରେ ପଡ଼ି ଫେସବୁକ ଏହା କରୁଥିବା କେତେକ କହିଥିବାବେଳେ ଆଉ କେତେକ କହିଛନ୍ତି ଯେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଫେସବୁକ ବିଭିନ୍ନ ବିଜ୍ଞାପନରେ ତାହାକୁ ବ୍ୟବହାର କରିବ ।

ତେବେ ଆଜି ଏସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ଫେସବୁକ । ଲୋକଙ୍କ ଆଧାର ତଥ୍ୟ ସଂଗ୍ରହ କରିବା ଲାଗି ଫେସବୁକର କୌଣସି ଅଭିପ୍ରାୟ ନାହିଁ । ଏପରିକି ଆକାଉଣ୍ଟ ଖୋଲିବା ଲାଗି ଆଧାର କାର୍ଡରେ ଥିବା ନାଁ ଲେଖିବା ଲାଗି ଲୋକମାନଙ୍କୁ ଏପର୍ଯ୍ୟନ୍ତ ବାଧ୍ୟ କରାଯାଇନାହିଁ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି । ଫେସବୁକ୍‌ ପ୍ରଡକ୍ଟ ମ୍ୟାନେଜର ଟାଇଚି ହାସିନୋ କହିଛନ୍ତି ଯେ ଫେସବୁକ ପକ୍ଷରୁ ଆଧାର ନାଁ ବ୍ୟବହାର ନେଇ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ଏକ ପରୀକ୍ଷଣର ଅଂବିଶେଷ ଥିଲା । ଏବେ ସେହି ପରୀକ୍ଷଣ ଶେଷ ହୋଇଛି । ଏହା ଉଦ୍ଦେଶ୍ୟ ଥିଲା, ଫେସବୁକରେ ନିଜର ପ୍ରକୃତ ନାଁ ଲେଖିଲେ ନିଜର ବଂଧୁ ଓ ପରିବାର ଲୋକଙ୍କୁ ସହଜରେ ଚିହ୍ନି ହେବ । କିନ୍ତୁ ନିକଟ ଭବିଷ୍ୟତରେ ଏହାକୁ ବାଧ୍ୟତାମୂଳକ କରିବାକୁ କୌଣସି ଯୋଜନା ନାହିଁ ।

ଫେସବୁକ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୭ର ପ୍ରଥମ ୬ ମାସରେ ଭାରତ ସରକାର ଫେସବୁକକୁ ପ୍ରାୟ ୯୮୫୩ ଥର ତଥ୍ୟ ପାଇଁ ଅନୁରୋଧ କରିଛନ୍ତି । ଏସବୁ ତଥ୍ୟଗୁଡ଼ିକ ମୁଖ୍ୟତଃ କୌଣସି ଧର୍ମ ସଂପ୍ରଦାୟକୁ ଅସମ୍ମାନ କରିବା ବା ଲୋକଙ୍କମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ସଂପର୍କିତ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏକ ରିପୋର୍ଟ ଅନୁସାରେ ଫେସବୁକ ପାଇଁ ଭାରତ ଏବେ ସବୁଠାରୁ ବଡ଼ ବଜାର ପାଲଟିଛି । ଏଠାରେ ପ୍ରାୟ ୨୪ କୋଟି ୧୦ ଲକ୍ଷ ଉପଭୋକ୍ତା ଥିବାବେଳେ ଆମେରିକାରେ ୨୪ କୋଟି ଉପଭୋକ୍ତା ରହିଛନ୍ତି ।

ସମ୍ବନ୍ଧିତ ଖବର