ନୂଆଦିଲ୍ଲୀ: ଭାରତୀୟ ଟଙ୍କା ଦୁର୍ବଳ ହେଉନି, ବରଂ ଡଲାର ଶକ୍ତିଶାଳୀ ହେଉଛି। ଏଭଳି ମନ୍ତବ୍ୟ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବହୁ କଟାକ୍ଷ କରାଯାଉଛି। କିଛି ଅର୍ଥନୀତିଜ୍ଞଙ୍କ ମତରେ ନିର୍ମଳା କିଛି ଭୁଲ କହିନାହାନ୍ତି। ତାଙ୍କ ମନ୍ତବ୍ୟକୁ କିଛି ଲୋକ ଅଲଗା ଅର୍ଥରେ ଗ୍ରହଣ କରିଛନ୍ତି। ଏମିତିରେ ଦେଖିଲେ କେବଳ ଭାରତୀୟ ଟଙ୍କା ନୁହେଁ, ଡଲାର ତୁଳନାରେ ବିଶ୍ବର ଅନେକ ଶକ୍ତିଶାଳୀ ଦେଶର ମୁଦ୍ରା ମୂଲ୍ୟ ହ୍ରାସ ପାଇଛି। ଭାରତ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଏହାର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ହେଉଥିବା ଦ୍ରୁତ ଗତିର ହ୍ରାସ। ପୂର୍ବରୁ ଦେଖାଦେଇଥିବା କୌଣସି ବଡ଼ ସଙ୍କଟ ସମୟରେ ଭାରତ ଏତେ ଅଧିକ ବିଦେଶୀ ମୁଦ୍ରା ହରାଇନଥିଲା। ଗତ ନଅ ମାସ ଭିତରେ ଭାରତ ଗଚ୍ଛିତ ଭଣ୍ଡାରରୁ ୯୭୦୦ କୋଟି ଟଙ୍କା ବାହାର କରିଛି। ୨୦୦୮ର ବିଶ୍ବ ମାନ୍ଦାବସ୍ଥା ସମୟରେ ଏହାର ଅଧାରୁ କମ୍ ଅର୍ଥାତ ୩,୭୩୦ କୋଟି ଡଲାର ବାହାର କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରାଯାଇଥିଲା। ଏଥର ତାହାର ପ୍ରାୟ ତିନି ଗୁଣା ଅଧିକ ମୁଦ୍ରା ବାହାର କରିଥିଲେ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨ ଟଙ୍କା ୩୮ ପଇସା ଭଳି ସ୍ତରରେ ରହିଛି।
ଆମେରିକୀୟ ଡଲାର ତୁଳନାରେ ଜାପାନର ମୁଦ୍ରା ୟେନ୍, ସ୍ବିଡେନ୍ର କ୍ରୋନା, ପୋଲାଣ୍ଡର ଜୋଲ୍ଟି, ବ୍ରିଟେନ୍ର ପାଉଣ୍ଡ୍, କୋରିଆର ୱନ୍, ଫିଲିପାଇନ୍ସର ପେସୋ, ଦକ୍ଷିଣ ଆଫ୍ରିକାର ରୢାଣ୍ଡ୍, ଥାଇଲ୍ୟାଣ୍ଡ୍ର ବାହତ୍, ମାଲେସିଆର ରିଙ୍ଗିଟ୍, ଚୀନ୍ର ୟୁଆନ୍ ଓ ଭାରତୀୟ ଟଙ୍କା ଦୁର୍ବଳ ହୋଇଛି। ଭାରତକୁ ବାଦ ଦେଲେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ମୂଲ୍ୟରେ ଯଥେଷ୍ଟ ଅଧିକ ହ୍ରାସ ଘଟିଛି। ସର୍ବାଧିକ ପ୍ରଭାବିତ ହୋଇଛି ଜାପାନ। ଡଲାର ତୁଳନାରେ କେବଳ ମେକ୍ସିକୋର ପେସୋ, ବ୍ରାଜିଲ୍ର ରିଅଲ୍ ଏବଂ ରୁଷିଆର ରୁବଲ୍ ମୂଲ୍ୟ ବୃଦ୍ଧି ପାଇଛି।
ବିଶ୍ବସ୍ତରରେ ହେଉଥିବା କାରବାରରେ ଡଲାରର ଆଧିପତ୍ୟ ରହିଛି। ତେଣୁ ପ୍ରାୟ ସବୁ ଦେଶ ନିଜ ଗଚ୍ଛିତ ମୁଦ୍ରା ଭଣ୍ଡାରରେ ଡଲାର ସମେତ ବିଭିନ୍ନ ଦେଶର ବିଦେଶୀ ମୁଦ୍ରା ରଖୁଛନ୍ତି। ଭାରତ ପାଖରେ ବିଶ୍ବର ପଞ୍ଚମ ବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ସେଥିରେ ଡଲାର, ୟେନ୍, ପାଉଣ୍ଡ୍, ୟୁରୋ ଆଦି ବିଭିନ୍ନ ଦେଶର ମୁଦ୍ରା ରହିଛି। ଏହା ବ୍ୟତୀତ ସୁନା, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ସ୍ପେସିଆଲ ଡ୍ରଇଙ୍ଗ୍ ରାଇଟ୍ସ ଆଦିକୁ ମଧ୍ୟ ଗଚ୍ଛିତ ମୁଦ୍ରା ଭଣ୍ଡାରର ଅଂଶ ଭାବେ ବିଚାର କରାଯାଉଛି। ଯେଉଁ ଦେଶର ଗଚ୍ଛିତ ମୁଦ୍ରା ଭଣ୍ଡାର ଯେତେ ବଡ଼ ତାହାର ଅର୍ଥନୀତି ସେତେ ଦୃଢ଼ ବୋଲି ବିଚାର କରାଯାଏ। ଗତ କିଛି ମାସ ହେଲାଣି ଡଲାର ତୁଳନାରେ ନିଜ ମୁଦ୍ରା ମୂଲ୍ୟକୁ ଏକ ନିର୍ଦିଷ୍ଟ ସ୍ଥିତିରେ ରଖିବା ଲାଗି ବହୁ ଦେଶ ଗଚ୍ଛିତ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ଖର୍ଚ୍ଚ କରୁଛନ୍ତି। ଗୋଟିଏ ପଟେ ଏହା ଦ୍ବାରା ଗଚ୍ଛିତ ଭଣ୍ଡାର ସଙ୍କୁଚିତ ହେଉଥିବା ବେଳେ ଅନ୍ୟ ଦେଶର ମୁଦ୍ରା ମୂଲ୍ୟ ହ୍ରାସ ପାଉଥିବାରୁ ମୋଟ ଉପରେ ଭଣ୍ଡାରରେ ଥିବା ମୁଦ୍ରାର ମୂଲ୍ୟ କମିବାରେ ଲାଗିଛି। ଫଳରେ ବାହ୍ୟ ଜଗତରେ ଘଟୁଥିବା ଘଟଣା ଯୋଗୁ ଯେଉଁ ବିପଦ ସୃଷ୍ଟି ହେବ ତାହାର ମୁକାବିଲା ଲାଗି ବିଭିନ୍ନ ଦେଶର କ୍ଷମତା ହ୍ରାସ ପାଉଛି। ଯେଉଁ ଦେଶଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆମଦାନି ଉପରେ ନିର୍ଭରଶୀଳ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି।