ଠକ ଧରାପଡ଼ିଲେ ଚର୍ଚ୍ଚା ହେଉନି: ମୋଦୀ

୫ ଲକ୍ଷ କୋଟି ଫେରିଲାଣି, କିନ୍ତୁ କେହି ଜାଣୁନାହାନ୍ତି

ନୂଆଦିଲ୍ଲୀ: ଦେଶରେ ଋଣ ଠକେଇ ହେଲେ କିମ୍ବା କୌଣସି ବ୍ୟକ୍ତି ବିପୁଳ ପରିମାଣର ଠକେଇ କରି ଦେଶ ଛାଡ଼ି ଚାଲିଗଲେ ଜୋରସୋର ଚର୍ଚ୍ଚା ହେଉଛି। କିନ୍ତୁ ସେଭଳି ଠକଙ୍କୁ ଭାରତ ଫେରାଇ ଆଣିବା ଲାଗି ସରକାର ଗ୍ରହଣ କରୁଥିବା ସାହସିକ ପଦକ୍ଷେପ ବିଷୟରେ କେବେ କିଛି ଆଲୋଚନା ହେଉନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାରଙ୍କ ଅମଳରେ ଯେ‌ଉଁ କିଛି କୋଟି ଟଙ୍କା ଫସି ରହିଥିଲା ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଯୋଗୁଁ ସେଥି ମଧ୍ୟରୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଫେରିଲାଣି ବୋଲି ସେ କହିଛନ୍ତି।

ଋଣ ଠକେଇ କରି କେହି ଦେଶ ଛାଡ଼ି ଚାଲିଗଲେ ଯେଉଁଭଳି ଚର୍ଚ୍ଚା ହେଉଛି, ସେମାନଙ୍କ ଠାରୁ ଅସୁଲ ହେଉଥିବା ଟଙ୍କା ବିଷୟରେ କିନ୍ତୁ ସେଭଳି ଆଲୋଚନା ହେଉନାହିଁ ବୋଲି ସେ କହିଛନ୍ତି। ନିକଟରେ ସ୍ଥାପନ କରାଯାଇଥିବା ବ୍ୟାଡ୍ ବ୍ୟାଙ୍କ ଜରିଆରେ ୨ ଲକ୍ଷ କୋଟି ଟଙ୍କା ଫେରିଥିବା ସେ କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପଳାତକ ଅର୍ଥନୈତିକ ଅପରାଧୀଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସରକାର ନୀତି ନିୟମ ଓ ଆଇନରେ ଥିବା ସବୁ ପ୍ରକାର ବ୍ୟବସ୍ଥାକୁ ବ୍ୟବହାର କରୁଛନ୍ତି। ଏଥି ସହିତ କୂଟନୈତିକ ସମ୍ପର୍କକୁ ମଧ୍ୟ ବ୍ୟବହାର କରାଯାଉଛି। ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ‌ଜାରି ରହିବ। ତେଣୁ ଆଉ ଲୁଚି ନରହି ଶୀଘ୍ର ଦେଶକୁ ଫେରିଆସିବାକୁ ସେ ପଳାତକ ଅର୍ଥନୈତିକ ଅପରାଧୀମାନଙ୍କୁ ଆହ୍ବାନ ଦେଇଛନ୍ତି।

କିଛି ବର୍ଷ ମଧ୍ୟରେ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍‌ସି ଓ ସନ୍ଦସେରା ଭ୍ରାତାଙ୍କ ଭଳି ଅନେକ ବ୍ୟକ୍ତି ଦେଶର ବ୍ୟାଙ୍କଗୁଡ଼ିକରୁ କୋଟି କୋଟି ଟଙ୍କାର ଋଣ ଠକେଇ କରି ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଲଣ୍ଡନରେ ଥିବା ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ଏକ ପ୍ରକାର ନିଶ୍ଚିତ ଥିବା ମନେ ହେଉଛି। ସେହିପରି ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ଲାଗି ମଧ୍ୟ ସରକାର ବ୍ରିଟେନ୍ କୋର୍ଟରେ ଲଢ଼େଇ ଜାରି ରଖିଛନ୍ତି।

ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇ ଆଜି ସେ କହିଛନ୍ତି ଯେ ଯେଉଁମାନେ ଦେଶରେ ସମ୍ପତ୍ତି ଓ ନିଯୁକ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କୁ ସହାୟତା ଦେବା ଦରକାର। ଗ୍ରାହକମାନେ ଯେଉଁଭଳି ସମାଧାନ ଚାହୁଛନ୍ତି ତାହା ଦେବା ଲାଗି ବ୍ୟବସ୍ଥା କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଗ୍ରାହକଙ୍କୁ ଅପେକ୍ଷା ନକରି ସେମାନଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।

ସମ୍ବନ୍ଧିତ ଖବର