ଅଚଳ ହେବ ପୁରୁଣା କାର୍ଡ: ଷ୍ଟେଟ ବ୍ୟାଙ୍କ ଦେବ ଚିପ୍‌ଲଗା କାର୍ଡ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କର ଡେବିଟ୍‌ ବା ଏଟିଏମ୍‌ କାର୍ଡ ବ୍ୟବହାରକାରୀମାନେ ଆଗାମୀ ଦିନରେ ଆଉ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ ଲାଗିଥିବା ଡେବିଟ୍‌ ତଥା ଏଟିଏମ୍‌ କାର୍ଡ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି କାର୍ଡକୁ ବଦଳାଇ ଇଏମ୍‌ଭି ଚିପ୍‌ ଲାଗିଥିବା କାର୍ଡ ନେବା ଲାଗି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଜଣାଇ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କେବଳ ଚିପ୍‌ ଲାଗିଥିବା ଏବଂ ପିନ୍‌ ସୁବିଧା ଥିବା କାର୍ଡ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଷ୍ଟେଟ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। କାର୍ଡ ଜାଲିଆତିରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ଲାଗି ଷ୍ଟେଟ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ଇଏମ୍‌ଭି ଚିପ୍‌ କାର୍ଡ ଏଟିଏମ୍‌ ବା ଡେବିଟ୍‌ କାର୍ଡରେ ଲାଗିଥିଲେ ଗ୍ରାହକଙ୍କୁ ଜାଲିଆତିରୁ ସୁରକ୍ଷା ମିଳିଥାଏ। ଏପିରିକି ଚୋରି ହୋଇ ଯାଇଥିବା କିମ୍ବା ହଜି ଯାଇଥିବା କାର୍ଡର ମଧ୍ୟ ନକଲ କରାଯାଇ ପାରି ନଥାଏ। ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛିଯେ, ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ ଥିବା ଡେବିଟ୍‌ କାର୍ଡକୁ ଇଏମ୍‌ଭି ଚିପ୍‌ ଡେବିଟ୍‌ କାର୍ଡରେ ପରିବର୍ତ୍ତନ କରାଇବାକୁ ହେବ। ଏହି ଏଟିଏମ୍‌ କାର୍ଡ ବଦଳ ପ୍ରକ୍ରିୟା ନିରାପଦ ହୋଇଥିବାବେଳେ ଏଥିପାଇଁ କୌଣସି ଅର୍ଥ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଟ୍ଵିଟ୍‌ରେ କୁହାଯାଇଛି। ଚଳିତବର୍ଷ ଜୁନ୍‌ ଶେଷ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୋଟ ୨୮.୯ କୋଟିର ଏଟିଏମ୍‌ ତଥା ଡେବିଟ୍‌ କାର୍ଡ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଛି। ଏଥିରୁ ଅଧିକାଂଶ କାର୍ଡରେ ଚିପ୍‌ ଲାଗି ସାରିଛି। ଷ୍ଟେଟ ବ୍ୟାଙ୍କ ବ୍ୟତୀତ ଅନ୍ୟ କେତେକ ବ୍ୟାଙ୍କ ମଧ୍ୟ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ କାର୍ଡକୁ ଇଏମ୍‌ଭି କାର୍ଡରେ ବଦଳାଉଛନ୍ତି।

ଇଏମ୍‌ଭି କାର୍ଡ କ’ଣ
ଇଏମ୍‌ଭି ଡେବିଟ୍‌ କାର୍ଡ କହିଲେ ୟୁରୋପେ, ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାନଦଣ୍ଡର ଡେବିଟ୍‌ କାର୍ଡକୁ ବୁଝାଇଥାଏ। କାର୍ଡଟି ଇଏମ୍‌ଭି କାର୍ଡ କିମ୍ବା ନୁହେଁ ତାହା ସହଜରେ ଜଣାଯାଇ ପାରିବ। ଇଏମ୍‌ଭି କାର୍ଡ ହୋଇଥିଲେ ସେହି କାର୍ଡର ସମ୍ମୁଖ ଭାଗରେ ଏକ ସୁନେଲି ରଙ୍ଗର ଚିପ୍‌ ଲାଗିଥିବ।

କେମିତି ମିଳିବ ଏହି କାର୍ଡ
ଷ୍ଟେଟ ବ୍ୟାଙ୍କ େଓ୍ଵବସାଇଟ୍‌ରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ବର୍ଗରୁ ଜଣାଯାଇଛି ଯେ, ଇଏମ୍‌ଭି ଚିପ୍‌ ଥିବା ଡେବିଟ୍‌ କାର୍ଡ ଆବେଦନ କରିବା ପାଇଁ ଜଣେ ଗ୍ରାହକଙ୍କୁ ଆକାଉଣ୍ଟ ଥିବା ଶାଖାକୁ ଯିବାକୁ ପଡ଼ିବ। ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ମଧ୍ୟ ଗ୍ରାହକ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ ଥିବା ଡେବିଟ୍‌ କାର୍ଡ ବଦଳରେ ଇଏମ୍‌ଭି ଚିପ୍‌ର ଡେବିଟ୍‌ କାର୍ଡ ପାଇବା ଲାଗି ଅନୁରୋଧ କରିପାରିବେ।

ସମ୍ବନ୍ଧିତ ଖବର