ସ୍ବିସ୍‌ ବ୍ୟାଙ୍କରେ ଜମା: ୨୫ ଭାରତୀୟଙ୍କୁ ନୋଟିସ୍

ସ୍ବିଜରଲ୍ୟାଣ୍ଡ୍‌ ଟିକସ କର୍ତୃପକ୍ଷ ପଠାଇଲେ ନୋଟିସ୍

ନୂଆଦିଲ୍ଲୀ/ବର୍ଣ୍ଣ: ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ଆଉ ତଥ୍ୟ ଗୋପନୀୟ ରଖିବା ସହଜ ହେବନାହିଁ। ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୁ ସେମାନଙ୍କୁ ବର୍ତ୍ତିବା ଆଉ ସମ୍ଭବ ହୋଇ ନପାରେ। ଭାରତ ସରକାରଙ୍କୁ ତଥ୍ୟ ଦେବା ପୂର୍ବରୁ ସ୍ବସ କର୍ତ୍ତୃପକ୍ଷ ଭାରତୀୟଙ୍କୁ ନୋଟିସ ଦେବା ଆରମ୍ଭ କରିଦେଇଛନ୍ତି। ଗତ ସପ୍ତାହରେ ପ୍ରାୟ ୧୨ ଜଣଙ୍କୁ ନୋଟିସ ପଠାଯାଇଛି। ଗତ ମାର୍ଚ ମାସରୁ ସ୍ବସ୍ କର୍ତ୍ତୃପକ୍ଷ ଭାରତୀୟ ଜମାକାରୀଙ୍କ ମଧ୍ୟରୁ ଅତିକମ୍‌ରେ ୨୫ ଜଣଙ୍କୁ ନୋଟିସ୍ ପଠାଇ ସାରିଲେଣି। ଭାରତ ସରକାରଙ୍କୁ ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ଏହା ବିରୋଧରେ ଆବେଦନ କରିବା ଲାଗି ଶେଷ ସୁଯୋଗ ପ୍ରଦାନ କରିବାକୁ ଯାଇ ଏହି ନୋଟିସ୍ ପଠାଯାଇଛି।

ସ୍ବିଜରଲାଣ୍ଡର ଫେଡେରାଲ ଟିକସ ପ୍ରଶାସନ ପକ୍ଷରୁ ଏସବୁ ନୋଟିସ୍ ପଠାଯାଉଛି। ବିଭିନ୍ନ ଦେଶର ନାଗରିକମାନଙ୍କ ନିକଟକୁ ଏହି ନୋଟିସ ଦିଆଯାଇଛି। ଉକ୍ତ ନୋଟିସକୁ ବିଶ୍ଳେଷଣ କରିବା ପରେ ଜଣାଯାଇଛି, ଏକାଧିକ ଦେଶର ନାଗରିକଙ୍କୁ ନୋଟିସ୍ ପଠାଯାଉଥିଲେ ମଧ୍ୟ ଗତ କିଛି ସପ୍ତାହ ମଧ୍ୟରେ ଭାରତୀୟ ମାନଙ୍କୁ ପଠାଯାଉଥିବା ନୋଟିସ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟିଛି। ମେ ୨୧ ତାରିଖ ଦିନ ଅତିକମ୍‌ରେ ୧୧ ଜଣ ଭାରତୀୟଙ୍କୁ ନୋଟିସ ପଠାଯାଇଛି। ତେବେ ସ୍ବିସ୍ ସରକାର ତାଙ୍କ ଗେଜେଟ୍ ବିଜ୍ଞପ୍ତିରେ ନାଗରିକମାନଙ୍କ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ସେଥିରେ ପୂରା ନାମ ଲେଖିବା ପରିବର୍ତ୍ତେ ସଂକ୍ଷେପରେ ତାହାକୁ ପ୍ରକାଶ କରିଛନ୍ତି। ତେବେ ଜନ୍ମବର୍ଷ ଏବଂ ମାସ ନାମ ନିକଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁଇ ଜଣ ଭାରତୀୟଙ୍କର ପୂରା ନାମ ଉଲ୍ଲେଖ କରାଯାଇଛି। ସେମାନେ ହେଲେ କୃଷ୍ଣ ଭଗବାନ ରାମଚାନ୍ଦ ( ଜନ୍ମ ୧୯୪୯ ମେ’) ଏବଂ କଳ୍ପେଶ ହର୍ଷଦ କିନାରିୱାଲା (ଜନ୍ମ ୧୯୭୨ ସେପ୍ଟେମ୍ବର)। ଏମାନଙ୍କ ବିଷୟରେ ଅଧିକ କିଛି ତଥ୍ୟ ଉଲ୍ଲେଖ କରାଯାଇନାହିଁ। ସଂକ୍ଷେପରେ ଯେଉଁ ଭାରତୀୟଙ୍କ ନାମ ପ୍ରକାଶ ପାଇଛି ସେମାନେ ହେଲେ ଏ ଏସ ବି କେ (ଜନ୍ମ ନଭେମ୍ବର ୨୪,୧୯୪୪), ଏ ବି କେ ଆଇ( ଜନ୍ମ ୧୯୪୪ ଜୁଲାଇ ୯), ପି ଏ ଏସ (ଜନ୍ମ ୧୯୮୩ ନଭେମ୍ବର ୨), ଆର ଏ ଏସ ( ୧୯୭୩ ନଭେମ୍ବର ୨୨), ଏ ପି ଏସ ( ୧୯୪୪ ନଭେମ୍ବର ୨୭), ଏ ଡି ଏସ( ୧୯୪୯ ଅଗଷ୍ଟ ୧୪), ଏମ ଏଲ ଏ (୧୯୧୫ ମେ ୨୦), ଏନ ଏମ ଏ (୧୯୬୮ ଫେବ୍ରୁଆରି ୨୧), ଏମ ଏମ ଏ ( ୧୯୭୩ ଜୁନ୍ ୨୭)।

ଗତ ଏପ୍ରିଲରେ ମଧ୍ୟ କେତେଜଣ ଭାରତୀୟଙ୍କୁ ନୋଟିସ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଜେ ଏନ ଭି, କୁଳଦୀପ ସିଂହ ଧିଙ୍ଗଡ଼ା ଏବଂ ଅନିଲ ଭରଦ୍ବାଜ ପ୍ରମୁଖ। ଏମାନଙ୍କ ମଧ୍ୟରୁ କେତେକଙ୍କ ନାମ ଲିକ୍ ହୋଇଥିବା ଏଚଏସବିସି ଓ ପାନାମା ପେପର୍ସରେ ସ୍ଥାନ ପାଇଥିଲା। ଏତଦବ୍ୟତୀତ ଭାରତରେ ମନି ଲଣ୍ଡରିଂ ଏବଂ ଅନ୍ୟାନ୍ୟ ଆର୍ଥିକ ଅନିୟମିତତା ଅଭିଯୋଗରେ ତଦନ୍ତର ଶିକାର ହୋଇଥିବା ମୁମ୍ବାଇର ଜିଓଡେସିକ୍ ଲିମିଟେଡ ଓ ଏହାର ୩ ଜଣ ନିର୍ଦେଶକ ଏବଂ ଚେନ୍ନାଇର ଆଧି ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡକୁ ସ୍ବିସ୍ କର୍ତ୍ତୃପକ୍ଷ ଗତ ମାର୍ଚ ପୂର୍ବରୁ ନୋଟିସ ପଠାଇଛନ୍ତି। ସ୍ବିଜରଲାଣ୍ଡର ନିୟମ ଅନୁଯାୟୀ, ଫେଡେରାଲ ଟିକସ କର୍ତ୍ତୃପକ୍ଷର ନିଷ୍ପତ୍ତିକୁ ୩୦ ଦିନ (କେତେକ କ୍ଷେତ୍ରରେ ୧୦ ଦିନ) ମଧ୍ୟରେ ଆବେଦନ କରାଯାଇପାରିବ। ତେବେ ଏଥିପାଇଁ ଆବେଦନକାରୀଙ୍କ ନିକଟରେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଥିବା ଆବଶ୍ୟକ। ଏହି ନୋଟିସ ବ୍ୟତୀତ ସ୍ବିଜରଲାଣ୍ଡ ଓ ଭାରତ ମଧ୍ୟରେ ସ୍ବୟଂକ୍ରିୟ ତଥ୍ୟ ଆଦାନପ୍ରଦାନ ନେଇ ଏକ ରାଜିନାମା ହୋଇଛି। ଚଳିତବର୍ଷ ଠାରୁ ନୂଆ ବ୍ୟବସ୍ଥା‌ରେ ସୂଚନା ଉପଲବ୍ଧ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର