ନୂଆଦିଲ୍ଲୀ: ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ କ୍ୟାବ୍ ବୁକିଂର ଦୁଇ ଅଗ୍ରଣୀ ସଂସ୍ଥା ଓଲା ଓ ଉବର୍କୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ନୋଟିସ୍ ଜାରି କରିଛନ୍ତି। ସେମାନଙ୍କ ବିରୋଧରେ ଗ୍ରାହକମାନଙ୍କଠାରୁ ଅଲଗା ଅଲଗା ଭଡ଼ା ଆଦାୟ କରୁଥିବା ଅଭିଯୋଗ ରହିଛି। ଦୁଇ କମ୍ପାନିର ଆପ୍ରେ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କୁ ଅଲଗା ଓ ଆଇଫୋନ୍ ବ୍ୟବହାରକାରୀଙ୍କୁ ଅଲଗା ଭଡ଼ା ଦେଖାଯାଉଛି। ଏଭଳି ପାତରଅନ୍ତର ନୀତିକୁ ସରକାର ଗମ୍ଭୀରତାର ସହ ନେଇ ନୋଟିସ୍ ପଠାଇଛନ୍ତି।
ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଏହି ମାମଲାକୁ ତାଙ୍କ ବିଭାଗ ଗୁରୁତ୍ବର ସହ ନେଇଛି। ଅଭିଯୋଗର ତଦନ୍ତ କରିବା ଲାଗି ସିସିପିଏକୁ କୁହାଯାଇଛି। ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ ଓଲା ଓ ଉବର୍ କେତେକ ପ୍ରକାର ଫୋନ୍ ମଡେଲ୍ରେ ଅଧିକ ଭଡ଼ା ଓ ଆଉ କେତେକ ଫୋନ୍ ମଡେଲ୍ରେ କମ୍ ଭଡ଼ା ପ୍ରଦର୍ଶିତ କରୁଛି। କେଉଁ ଆଧାରରେ ଓଲା ଓ ଉବର୍ ଏଭଳି କରୁଛନ୍ତି, ତାହାର କାରଣ ଜଣାଇବା ଲାଗି ସେମାନଙ୍କୁ କୁହାଯାଇଛି। ସମାନ ଜାଗାକୁ ଯାତ୍ରା କରିବା ଲାଗି ଆଣ୍ଡ୍ରଏଡ୍ରେ ବୁକିଂ କଲେ ଅଲଗା ଓ ଆଇଫୋନ୍ରେ ବୁକିଂ କଲେ କାହିଁକି ଅଲଗା ଭଡ଼ା ଦେଖାଉଛି, ତାହା ଜଣାଇବାକୁ ଦୁଇ କମ୍ପାନିକୁ କୁହାଯାଇଛି। ଗ୍ରାହକଙ୍କୁ ଶୋଷଣକୁ ସରକାର ସହ୍ୟ କରିବେ ନାହିଁ ବୋଲି ଶ୍ରୀ ଯୋଶୀ ରୋକ୍ଠୋକ୍ ଶୁଣାଇଛନ୍ତି।
ଗତବର୍ଷ ଡିସେମ୍ବରରେ ଏହି ପ୍ରସଙ୍ଗ ଜୋର୍ ଧରିଥିଲା। ଜଣେ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ସ୍କ୍ରିନ୍ସଟ୍ ସେୟାର କରିବା ପରେ ବିତର୍କ ବଢ଼ିଥିଲା। ପୋଷ୍ଟ ଭାଇରାଲ୍ ହେବା ପରେ ଉବର୍ ତାହାକୁ ଖଣ୍ଡନ କରିଥିଲା। ପିକ୍-ଅପ୍ ସ୍ଥାନ, ସମ୍ଭାବ୍ୟ ପହଞ୍ଚିବା ସମୟ କିମ୍ବା ଓହ୍ଲାଇବା ସ୍ଥାନ ଭଳି ବିଷୟ ପାଇଁ ଭଡ଼ା ଅଲଗା ଅଲଗା ଦେଖାଉଥାଇପାରେ ବୋଲି କମ୍ପାନି କହିଥିଲା। ନିୟମିତ ବୁକିଂ କରୁଥିବା ଲୋକଙ୍କୁ ଭଡ଼ା ଅଧିକ ଦେଖାଯାଉଉଥିବା ଅଭିଯୋଗ ମଧ୍ୟ ରହିଛି। ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଭୋପାଳ ସହରରେ ଆଣ୍ଡ୍ରଏଡ୍ ଫୋନ୍ରେ ଓଲା ଆପ୍ରେ ଏମ୍ପି ନଗରରୁ ରାଜାଭୋଜ ବିମାନବନ୍ଦର ପର୍ଯ୍ୟନ୍ତ ଯିବା ପାଇଁ ବୁକିଂ କରିଥିଲେ, ଯେଉଁଥିରେ ଭଡ଼ା ୩୧୦-୩୦୧ ଟଙ୍କା ଦେଖାଇଥିଲା। ସେହି ସମାନ ଯାତ୍ରା ପାଇଁ ଆଇଫୋନ୍ରେ ବୁକିଂ କରିବା ବେଳେ ଭଡ଼ା ୩୨୨-୩୬୮ ଟଙ୍କା ଦେଖାଇଥିଲା। ପୁଣି ଥରେ ବୁକିଂ ପ୍ରୟାସ କରିବା ବେଳେ ଆଣ୍ଡ୍ରଏଡ୍ ଫୋନ୍ରେ ଭଡ଼ା ଅଧିକ ଦେଖାଇଥିଲା।