ନୂଆଦିଲ୍ଲୀ: ନିୟମ ଠିକ୍ ଭାବେ ପାଳନ କରୁ ନଥିବା ୧୭ଟି ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରି) କମ୍ପାନିକୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ନୋଟିସ୍ ଜାରି କରିଛନ୍ତି। ସେହି ସଂସ୍ଥାଗୁଡ଼ିକ ମଧ୍ୟରେ ଓରିଫ୍ଲେମ୍‌ ଇଣ୍ଡିଆ ନାମ ରହିଛି। ଅନ୍ୟ ସଂସ୍ଥାଗୁଡ଼ିକ ହେଉଛି ବିହାନ୍ ଡାଇରେକ୍ଟ ସେଲିଂ, ଟ୍ରିପ୍‌ଟେଲ୍‌ସ, ଜେନେସା ୱେଲ୍‌ନେସ୍, ଓଗ୍ରୋଲାଇଫ୍‌ ସଲ୍ୟୁସନ୍ସ, ଜଙ୍କଚର୍‌ ମାର୍କେଟିଂ, ୱଲ୍‌ଟ ମାର୍କେଟିଂ, ପ୍ରୀତ୍ ଲାଇଫ୍‌ କେୟାର, ଏନ୍‌ରୁଟ୍‌ସ ହରାଇଜନ୍, ଇ ବାୟୋଟୋରିୟମ୍ ନେଟ୍‌ୱର୍କ, ମେଘଦୂତ ମାର୍କେଟିଂ, ସୁଇ ଧାଗା ଲାଇଫ୍‌ଷ୍ଟାଇଲ୍‌, ୱିନମାର୍ଗ ବିଜନେସ୍, ଆୟୁଷରତ୍ନ ନାଚୁରାଲ୍ ହର୍ବସ୍‌, ବାୟୋଥନ୍ ଲାଇଫ୍‌କେୟାର ଓ ଓକ୍‌ଫ୍ଲିପ୍‌ ଇଣ୍ଡିଆ। ସିସିପିଏ ପକ୍ଷରୁ ୧୩ଟି ସଂସ୍ଥାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ତିନିଟି ସଂସ୍ଥାର ଜବାବକୁ ଅପେକ୍ଷା କରାଯାଇଛି। ଡାଇରେକ୍ଟ ସେଲିଂ ବା ସିଧାସଳଖ ଗ୍ରାହକଙ୍କୁ ବିକ୍ରି ଲାଗି ଦେଶରେ ରହିଥିବା ନିୟମକୁ ଠିକ୍ ଭାବେ ପାଳନ କରିବା ଲାଗି ଏହି କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଆହ୍ବାନ ଦିଆଯାଇଛି। 

Advertisment

ସିସିପିଏ ପକ୍ଷରୁ କୁହାଯାଇଛି ଯେ କେ‌େ‌ତକ ସଂସ୍ଥା ଦେଶରେ ରହିଥିବା ନିୟମର ଅପବ୍ୟବହାର କରି ବେଆଇନ ଭାବେ କାରବାର କରୁଛନ୍ତି। ସଂସ୍ଥା ସହ ଯୋଡ଼ି ହେବା ଲାଗି ଫି’ ଓ ନିବେଶ, ଅଧିକ ଲୋକ ଆଣିଲେ ଅଧିକ ଉପାର୍ଜନ ସୁଯୋଗ, ନିର୍ଦ୍ଦିଷ୍ଟ ଅବଧି ପରେ ଉତ୍ପାଦ ଫେରସ୍ତ ନ ହେବା ଭଳି ସର୍ତ୍ତ ରଖି କିଛି ସଂସ୍ଥା କାରବାର କରୁଛନ୍ତି ଯାହା ବେଆଇନ। କିଛି ସଂସ୍ଥା ପିରାମିଡ୍ ସ୍କିମ୍ ଚଲାଉଥିବା ଅଭିଯୋଗ ମଧ୍ୟ ରହିଛି। ଉଚ୍ଚ କମିସନ ଆୟ, ବିଦେଶ ଭ୍ରମଣ, ସଫଳ ଉଦ୍ୟୋଗୀ କରିବା, ଭବିଷ୍ୟତରେ ବଡ଼ ଧନୀ କରିବା ଭଳି ଅବାସ୍ତବ ସ୍ବପ୍ନ ଦେଖାଇ କିଛି ସଂସ୍ଥା ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେଭଳି ସଂସ୍ଥାଗୁଡ଼ିକଠାରୁ ସତର୍କ ରହିବା ଲାଗି ସିସିପିଏ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।