ହିନ୍ଦୀ, ଇଂରାଜି ବ୍ୟତୀତ ଏଣିକି ସମସ୍ତ ବିମାନବନ୍ଦରରେ ଆଞ୍ଚଳିକ ଭାଷାରେ ହେବ ସର୍ବସାଧାରଣ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦେଶର ସମସ୍ତ ବିମାନବନ୍ଦରକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ବିମାନ ବନ୍ଦରରେ ରାଷ୍ଟ୍ର ଭାଷା ହିନ୍ଦୀ ଓ ବିଦେଶୀ ଭାଷା ଇଂରାଜି ବ୍ୟତୀତ ଆଞ୍ଚଳିକ ଭାଷାରେ ବି ଘୋଷଣା କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇ କହିଛନ୍ତି କି ବିମାନବନ୍ଦରଗୁଡ଼ିକରେ ପ୍ରଥମେ ଆଞ୍ଚଳିକ ଭାଷାରେ ଘୋଷଣା ହେବା ପରେ ଯାଇ ଇଂରାଜି ଓ ହିନ୍ଦୀ ଭାଷାରେ ଘୋଷଣା କରାଯିବ।

ଜାଣିବାକୁ ମିଳିଛି ଯେ ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ନିଜ ନିୟନ୍ତ୍ରଣରେ ରହିଥିବା ସମସ୍ତ ବିମାନବନ୍ଦରକୁ ହିନ୍ଦୀ ଓ ଇଂରାଜି ଭାଷା ବ୍ୟତୀତ ପ୍ରଥମେ ଆଞ୍ଚଳିକ ଭାଷାରେ ବିମାନବନ୍ଦରରେ ଯାତ୍ରୀମାନଙ୍କ ସକାଶେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ସମସ୍ତ ବିମାନବନ୍ଦରର ସଂଚାଳକଙ୍କୁ କୁହାଯିବା ପରେ ବେସରକାରୀ ବିମାନବନ୍ଦର ସଂଚାଳକଙ୍କୁ ବି ଯୋଗାଯୋଗ କରାଯାଇଛି।

ତେବେ, ଯେଉଁ ବିମାନବନ୍ଦରଗୁଡ଼ିକରେ ସର୍ବସାଧାରଣଙ୍କ ସକାଶେ କୌଣସି ପ୍ରକାର ଘୋଷଣା ହୁଏ ନାହିଁ(ସାଇଲେଣ୍ଟ୍‌ ଏୟାର୍‌ପୋର୍ଟ) ସେଠାରେ ଏହି ନିୟମ ଲାଗୁ ହେବ ନାହିଁ। ଏହ ନିୟମ ୧୦୦ରୁ ଊର୍ଧ୍ୱ ବିମାନ ବନ୍ଦରରେ ଲାଗୁ ହେବ ବୋଲି ସୂଚନା ରହିଛି। ୨୦୧୬ ମସିହାରେ ପ୍ରଥମେ ଏଏଆଇ ପକ୍ଷରୁ ଏ ନେଇ ଏକ ସର୍କୁଲାର ଜାରି ହୋଇଥିଲା। ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର