‘ସି ଭି ରମଣ ହେବ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ’

ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟିକୁ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ ବୋଲି ଏହାର ପ୍ରତିଷ୍ଠାତା ସଞ୍ଜୀବ କୁମାର ରାଉତ କହିଛନ୍ତି। ସେ କହିଛନ୍ତି, ବିଶ୍ବବିଦ୍ୟାଳୟରେ ୨୫% ବିଦେଶୀ ଛାତ୍ରଛାତ୍ରୀ, ଅନ୍ୟ ରାଜ୍ୟରୁ ୨୫% ଏବଂ ଓଡ଼ିଶାର ୫୦% ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବେ। ବିଶ୍ବବିଦ୍ୟାଳୟରେ ବିଦେଶରୁ ଅତିକମ୍‌ରେ ୨୦% ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସେ କହିଲେ, ଏଠାରେ ରୋବୋଟିକ୍ସ, ଡ୍ରୋନ୍ ପ୍ରଯୁକ୍ତି, ୱାଟର ପ୍ରଯୁକ୍ତି, ସାଇବର୍ ନିରାପତ୍ତା, କ୍ଲାଉଡ୍‌ କମ୍ପ୍ୟୁଟିଂ, ଛାପା ଗଣମାଧ୍ୟମ ପ୍ରଯୁକ୍ତି, ଡିଜିଟାଲ୍ ଫ୍ୟାକ୍ଟ୍ରି, ରେ‌ବୋ‌ଟିକ୍ସ ୱେଲଡିଂ, କୃତ୍ରିମ ବୁଦ୍ଧିମତା (ଏଆଇ), ଭର୍ଚୁଆଲ୍ ରିଅଲିଟି (ଭିଆର୍‌), ମହାକାଶ ପ୍ରଯୁକ୍ତି, ମେକାଟ୍ରୋନିକ୍ସ, ଶିଳ୍ପ ୫.୦, ମାନୁଫାକ୍‌ଚରିଂ ୪.୦, ଫୁଡ୍‌ ପ୍ରଯୁକ୍ତି, ନାନୋ ଟେକ୍ନୋଲୋଜି ଆଦି ବିଷୟବସ୍ତୁ ଉପରେ ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ ପ୍ରଦାନ କରାଯିବ। ଏହା ସହିତ ପ୍ରଥମ ୫ ବର୍ଷ ଷ୍ଟାର୍ଟଅପ୍‌, ଇନୋଭେସନ୍‌ ଏବଂ ଗବେଷଣା କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ଏହା ବିଭିନ୍ନ ପ୍ରକାର କୌଶଳ ଉପରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବ। ଶିଳ୍ପ ସଂସ୍ଥାଗୁଡ଼ିକ ସହ ମିଶି ସେମାନଙ୍କ ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବ। ବର୍ତ୍ତମାନ ଏଠାରେ ୯ଟି ଦେଶର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ। ଏହି ବିଶ୍ୱବିଦ୍ୟାଳୟ ଓଡିଶାର ଗ୍ରାମୀଣ ମେଧାବି ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବୃତ୍ତି ଆଣିବା ସହିତ ଇଂଜିନିୟରିଂ ପାଠପଢ଼ାକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର