ପୋଷାକ ଶିଳ୍ପରେ ବି ସଙ୍କଟ, ବଡ଼ ଧରଣର ଛଟେଇ ଆଶଙ୍କା

ଦୃଷ୍ଟି ଆକର୍ଷଣ କଲା ସଂଘ

ନୂଆଦିଲ୍ଲୀ: କୃଷି ପରେ ଦେଶର ଦ୍ବିତୀୟ ବୃହତ୍ ନିଯୁକ୍ତି ପୋଷାକ ଶିଳ୍ପ ପ୍ରଦାନ କରିଛି। କିନ୍ତୁ ମାନ୍ଦାବସ୍ଥା ଯୋଗୁ ଏହି ଶିଳ୍ପର ଅବସ୍ଥା ଏବେ ଦୋହଲି ଯାଇଛି। ସରକାର ତୁରନ୍ତ ଏହି ଶିଳ୍ପ ପାଇଁ ଠୋସ୍ କିଛି ଘୋଷଣା ନକରିଲେ ପୋଷାକ ଶିଳ୍ପର ଅବସ୍ଥା ଆହୁରି ଖରାପ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏପରିକି ଉତ୍ତର ଭାରତ ସୂତା କଳ ସଂଘ (ଏନ୍‌ଆଇଟିଏମ୍‌ଏ) ପକ୍ଷରୁ ଜାତୀୟ ସ୍ତରର ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ବିଜ୍ଞାପନର ଶୀର୍ଷକ ରହିଛି ଭାରତୀୟ ସୂତା କଳ ଶିଳ୍ପ ବଡ଼ ଧରଣର ସଙ୍କଟ ଦେଇ ଗତି କରୁଛି। ଏଥିଯୋଗୁ ବଡ଼ ଧରଣର ଛଟେଇ ଆଶଙ୍କା ରହିଛି। ବିଜ୍ଞାପନ ମାଧ୍ୟମରେ ସୂତା କଳ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏକ ବିରଳ ଘଟଣା ବୋଲି କୁହାଯାଉଛି। ଏଭଳି ସଙ୍କଟ ଶେଷ ଥର ପାଇଁ ୨୦୧୦-୧୧ରେ ଦେଖାଦେଇଥିଲା। ସେହିବର୍ଷ ଦେଶର ତୁଳା ଉତ୍ପାଦନ ୩୩୨.୨୫ ଲକ୍ଷ ଗାଣ୍ଠିଲିକୁ ହ୍ରାସ ପାଇଥିଲା ବୋଲି କୁହାଯାଇଛି। ଏନ୍‌ଆଇଟିଏମ୍‌ଏ ପକ୍ଷରୁ ପରିସଂଖ୍ୟାନ ଏବଂ ବାଣିଜ୍ୟିକ ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିସିଆଇଆଣ୍ଡଏସ୍‌)ର ତଥ୍ୟକୁ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ୨୦୧୯ର ଏପ୍ରିଲ -ଜୁନରେ ଦେଶର ସୂତା ରପ୍ତାନି ୨୦୧୮ର ଏପ୍ରିଲ-ଜୁନ୍ ତୁଳନାରେ ୩୪.୬ ପ୍ରତିଶତ ହ୍ରାସ ଘଟି ୬୯୬ ନିୟୁତ ଡଲାର ରହିଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରରେ ଉଚ୍ଚ ଟିକସ, ଉଚ୍ଚ ସୁଧ ହାର ଏବଂ ଅନ୍ତର୍ଜାତୀୟ ସ୍ତର ତୁଳନାରେ ଭାରତରେ କଞ୍ଚାମାଲ ମୂଲ୍ୟ ଅଧିକ ରହିବା ଆଦି ଯୋଗୁ ଭାରତୀୟ ମିଲ୍‌ ଗୁଡ଼ିକ କିଲୋଗ୍ରାମ ପିଛା ୨୦ରୁ ୨୫ ଟଙ୍କାର କ୍ଷତି ସହୁଛନ୍ତି। ଏଥିଯୋଗୁ ସୂତା ଶିଳ୍ପ ପ୍ରଭାବିତ ହେଉଛି ବୋଲି କୁହାଯାଇଛି। ଭାରତୀୟ ସୂତା ଶିଳ୍ପ ଅସୁବିଧା ଦେଇ ଗତି କରିବାର ଅନ୍ୟ ପ୍ରମୁଖ କାରଣ ହେଲା ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରୁ କମ୍ ମୂଲ୍ୟର ସୂତା ଏବଂ ପୋଷାକ ଆମଦାନୀ ହେଉଛି। ଭାରତରେ ସୂତା ଶିଳ୍ପରେ ପ୍ରାୟ ୧୦ କୋଟିରୁ ଅଧିକ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ଶିଳ୍ପରେ କୌଣସି ଛଟେଇ ହେବା ପୂର୍ବରୁ ଏବଂ କମ୍ପାନିର ଋଣ ଅଚଳ ସମ୍ପତ୍ତି ବା ଏନ୍‌ପିଏ ହେବା ପୂର୍ବରୁ ସରକାର ତୁରନ୍ତ କିଛି ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଏନ୍‌ଆଇଟିଏମ୍‌ଏ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ଏହା ମଧ୍ୟ କୁହାଯାଇଛି, ଦେଶରେ ଏକ ତୃତୀୟାଂଶ ସୂତାକଳ ବନ୍ଦ ହୋଇଗଲାଣି। ଯେଉଁଗୁଡ଼ିକ ଏବେ ଚାଲୁଛନ୍ତି ସେଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି।

ବର୍ଷା ଅଭାବ ଯୋଗୁ ଦେଶରେ ତୁଳା ଉତ୍ପାଦନ ୭ ପ୍ରତିଶତ ହ୍ରାସ ଘଟିଛି। ଚୀନର ତୁଳା ଉତ୍ପାଦନ ୧ ପ୍ରତିଶତ ବୃଦ୍ଧି ଘଟିଲେ ଭାରତ ବିଶ୍ବର ବୃହତ୍ତମ ତୁଳା ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ହରାଇବ ବୋଲି ସଂଘ କହିଛି। ତାମିଲନାଡ଼ୁରେ ସୂତା କଳ ଗୁଡ଼ିକରେ ମାନ୍ଦାବସ୍ଥାର ପ୍ରଭାବ ଜୋରଦାର ଅନୁଭୁତ ହୋଇଛି। ତାମିଲନାଡ଼ୁ ଓପନ-ଏଣ୍ଡ୍ ସୂତା କଳ ସଂଘ ପକ୍ଷରୁ ଆକଳନ କରାଯାଇଛି ଗତବର୍ଷ ପ୍ରାୟ ୧.୨ ଲକ୍ଷ ଲୋକ ସେମାନଙ୍କ ଜୀବୀକା ହରାଇଥିଲେ। ଏହି ସଂଘର ସଭାପତି ଏମ୍ ଜୟାବଲଙ୍କ କହିବାନୁଯାୟୀ, ଭାରତରେ ୬୦୫ଟି ସୂତାକଳ ବନ୍ଦ ହୋଇଗଲାଣି। ଦେଶର ସୂତା ଶିଳ୍ପକୁ ବିପଦ ଦେଖାଦେଇଥିବାରୁ ଓଡ଼ିଶାର ବହୁତ ଲୋକ ଛଟେଇ ଆଶଙ୍କା ବୃଦ୍ଧି ପାଇଛି। କାରଣ ଓଡ଼ିଶାର ଲକ୍ଷାଧିକ ଲୋକ ଗୁଜରାଟର ସୁରଟ ଭଳି ସହରରେ ଥିବା ସୂତାକଳ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର