ଲାଭ ପଥକୁ ଫେରିଲେ ସରକାରୀ ବ୍ୟାଙ୍କ, ସଂଘର୍ଷ କରୁଛନ୍ତି ଗାଡ଼ି କଂପାନି

ଭୁବନେଶ୍ବର: ସରକାରୀ ବ୍ୟାଙ୍କଗୁଡ଼ିକର କ୍ଷତି ଧାରାରେ ବ୍ରେକ୍ ଲାଗିଛି। ସେମାନେ ଲାଭ ପଥକୁ ପୁଣି ଥରେ ଫେରିଛନ୍ତି। ଏନ୍‌ପିଏ ସଙ୍କଟ ଓ ପାଣ୍ଠି ଅଭାବ ଭଳି ସମସ୍ୟା ଦେଇ ଗତି କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ ଚଳିତ ବର୍ଷର ଏପ୍ରିଲ୍-ଜୁନ୍‌ ତିନି ମାସରେ ଚମତ୍କାର ପ୍ରଦର୍ଶନ କରି ବଜାର ବିଶେଷଜ୍ଞମାନଙ୍କୁ ଚକିତ କରିଛନ୍ତି। ବିଭିନ୍ନ ସଂସ୍ଥା ଦ୍ବାରା ଜାରି କରାଯାଇଥିବା ଏପ୍ରିଲ୍-ଜୁନ୍‌ ତ୍ରୟମାସର ଆର୍ଥିକ ଫଳାଫଳର ବିଶ୍ଳେଷଣରୁ ଏହା ଜଣାପଡ଼ିଛି।

ଏହି ତିନି ମାସରେ ସୂଚନା ପ୍ରଯୁକ୍ତି (ଆଇଟି) କଂପାନିଗୁଡ଼ିକର ପ୍ରଦର୍ଶନ ଆଶନୁରୂପ ରହିଥିବା ବେଳେ ବିମାନ ଚଳାଚଳ କ୍ଷେତ୍ରରେ ଇଣ୍ଡିଗୋ ବହୁତ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଅଟୋମୋବାଇଲ୍ କଂପାନିଗୁଡ଼ିକ ସଂଘର୍ଷ କରିଥିବା ଜଣାପଡ଼ିଛି। ଗାଡ଼ି ବିକ୍ରି ହ୍ରାସର ପ୍ରତିଫଳନ ସେମାନଙ୍କ ଆର୍ଥିକ ଫଳାଫଳ ଉପରେ ପଡ଼ିଛି। ଅଧିକାଂଶ ଗାଡ଼ି କଂପାନିର ଲାଭ ହ୍ରାସ ପାଇଥିବା ବେଳେ କିଛି କଂପାନି ବିପୁଳ ପରିମାଣର କ୍ଷତି ସହିଥିବା ଜଣାପଡ଼ିଛି। ଗାଡ଼ି କଂପାନି ଭିତରେ ଟାଟା ମୋଟର୍ସ ସର୍ବାଧିକ ୩୬୮୦ କୋଟି ଟଙ୍କାର କ୍ଷତି ସହିଛି। କଂପାନିର କ୍ଷତି ଦୁଇଗୁଣା ବଢ଼ିଯାଇଛି। ବଜାଜ ଅଟୋର ଲାଭରେ ମାତ୍ର ୧% ବୃଦ୍ଧି ହୋଇ ୧୧୨୬ କୋଟି ଟଙ୍କା ହୋଇଛି। ଏହା ଏକମାତ୍ର ଗାଡ଼ି କଂପାନିର ଯାହାର ଲାଭ ବଢ଼ିଛି। ଟିଭିଏସ୍‌ ମୋଟର୍‌ର ଲାଭ ୬% ହ୍ରାସ ପାଇ ୧୫୧ କୋଟି ଟଙ୍କା ହୋଇଛି। ହିରୋ ମୋଟୋକର୍ପର ଟିକସ ପରବର୍ତୀ ଲାଭ (ପିଏଟି) ୧୫% ହ୍ରାସ ପାଇ ୭୬୬ କୋଟି ଟଙ୍କା ହୋଇଛି। ମାରୁତିର ନିଟ୍ ଲାଭ ୨୭% ହ୍ରାସ ପାଇ ୧୪୩୩ କୋଟି ଟଙ୍କା ହୋଇଛି। ଗାଡ଼ି କଂପାନିଗୁଡ଼ିକ ଖରାପ ପ୍ରଦର୍ଶନ କରିବାର ପ୍ରମୁଖ କାରଣ ହେଉଛି ବିକ୍ରିରେ ମାନ୍ଦାବସ୍ଥା। ଅଧିକ ସଂଖ୍ୟାର ଗାଡ଼ି ବିକ୍ରି ହେଉନାହିଁ। ସେଥିପାଇଁ କଂପାନିଗୁଡ଼ିକ ନିଜର ଉତ୍ପାଦନ କମାଇବା ଆରମ୍ଭ କଲେଣି। ଗାଡ଼ି ବିକ୍ରି ହ୍ରାସର ପ୍ରଭାବ କ୍ଷୁଦ୍ର ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ପଡ଼ିଛି। ‌ସେହି କ୍ଷେତ୍ରରେ ପାଖାପାଖି ୪୦ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ୧୦ ଲକ୍ଷ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ, ସରକାରୀ ବ୍ୟାଙ୍କଗୁଡ଼ିକ ଏହି ତିନି ମାସରେ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଦର୍ଶନ କରିଛନ୍ତି। ଠ‌କେଇର ଶିକାର ହୋଇଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ୧୦୧୯ କୋଟି ଟଙ୍କାର ଲାଭ କରିଛି। ସେହି ସମୟରେ କାନାରା ବ୍ୟାଙ୍କର ଲାଭ ୧୭% ବୃଦ୍ଧି ପାଇ ୩୨୯ କୋଟି ଟଙ୍କା ହୋଇଛି। ବ୍ୟାଙ୍କ ଅଫ୍ ବରୋଦା ୮୨୬ କୋଟି ଟଙ୍କାର ଲାଭ କରିଥିବା ବେଳେ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସ (ଓବିସି) ୧୧୨ କୋଟି ଟଙ୍କାର ଲାଭ କରିଛି। ଏନ୍‌ପିଏ ଓ ପୁଞ୍ଜି ଅଭାବ ଭଳି ସମସ୍ୟା ଦେଇ ଗତି କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ପ୍ରଦର୍ଶନ ଗତବର୍ଷ ଅତ୍ୟନ୍ତ ଖରାପ ରହିଥିଲା। ପ୍ରାୟ ସବୁ ବ୍ୟାଙ୍କ କ୍ଷତି ସହିଥିଲେ। ସେହି ଧାରାରେ ବ୍ରେକ୍ ଲାଗିଛି।

ସମ୍ବନ୍ଧିତ ଖବର