ନୂଆଦିଲ୍ଲୀ: ଦେଶର ଅନ୍‌ଲାଇନ୍ ସପିଙ୍ଗରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୋବାଇଲ, ପୋଷାକ, ଭୋଜନ କିମ୍ବା ପନିପରିବା ଯାହା ବି କିଛି ବରାଦ କଲେ ତାହାକୁ ଶୀଘ୍ର ପାଇବା ଲାଗି ଲୋକମାନେ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଦେଶରେ ଆରମ୍ଭ ହୋଇଛି କ୍ବିକ୍ କମର୍ସ ବା ଫଟାଫଟ୍‌ ଡେଲିଭରିର ଯୁଗ। ବରାଦ ଦିଆଯାଇଥିବା ଜିନିଷ ଲୋକଙ୍କ ପାଖରେ ୧୦ ମିନିଟ୍‌ ମଧ୍ୟରେ ପହଞ୍ଚାଇବା ଲାଗି ଯେଭଳି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଗ୍‌ ବାସ୍କେଟ୍‌ଠାରୁ ଆରମ୍ଭ କରି ବ୍ଲିଙ୍କ୍‌ଇଟ୍‌, ଜେପ୍‌ଟୋ ଓ ସ୍ବିଗି ଇନ୍‌ଷ୍ଟାମାର୍ଟ ଏହି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Advertisment

୧୦ ମିନିଟ୍‌ରେ ଜିନିଷ ପହଞ୍ଚାଇବାକୁ ଦୌଡ଼
ବିଗ୍‌ ବାସ୍କେଟ୍‌, ବ୍ଲିଙ୍କ୍‌ଇଟ୍‌, ଜେପ୍‌ଟୋ, ଇନ୍‌ଷ୍ଟାମାର୍ଟ ମଧ୍ୟରେ ଲଢ଼େଇ

ବିଗ୍‌ବସ୍କେଟ୍‌ ପକ୍ଷରୁ ଦେଶର ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକରେ ଦୀପାବଳିକୁ ଦୃଷ୍ଟିରେ ରଖି ୧୦ ମିନିଟ୍‌ ଡେଲିଭରି ଆରମ୍ଭ କରାଯାଇଛି। କ୍ରୋମା ଓ ଟାଟା କ୍ଲିକ୍‌ରୁ ବରାଦ ଦିଆଯାଉଥିବା ସାମଗ୍ରୀକୁ ଏହା ଶୀଘ୍ର ଗ୍ରାହକଙ୍କ ନିକଟରେ ପହଞ୍ଚାଇବ। ଏ ସମ୍ପର୍କରେ କମ୍ପାନିର ମାର୍କେଟିଂ ମୁଖ୍ୟ ରାଗ୍‌ଲିନା ଶ୍ରୀପଦା କହିଛନ୍ତି ଯେ ଆମ ପାଇଁ ଦ୍ବିତୀୟ ଶ୍ରେଣୀ ବଜାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଦୀପାବଳିରେ ଆମେ ଲୋକମାନଙ୍କ ନିକଟରେ ୧୦ ମିନିଟ୍‌ରେ ସୁନା ଓ ରୁପା କଏନ, ଘର ସାଜସଜ୍ଜା ଜିନିଷ, ଡ୍ରାଏ ଫ୍ରୁଟ୍, ଉପହାର ସାମଗ୍ରୀ ପହଂଚାଇବାକୁ ଯୋଜନା ରଖିଛୁ ବୋଲି ସେ କହିଛନ୍ତି।

ଫୁଡ୍ ଡେଲିଭରି ଆପ୍ ଭାବେ ଆରମ୍ଭ ହୋଇଥିବା ସ୍ୱିଗି ଏବେ ଇନ୍‌ଷ୍ଟାମାର୍ଟ ସହ ସଫଳତା ହାସଲ କରିଛି। ଡେଲିଭରି ସମୟ ମଧ୍ୟ ଜୁନ୍ ମାସରେ ହାରାହାରି ୧୭ ମିନିଟ୍‌ରୁ ୧୩ ମିନିଟ୍‌କୁ ଖସି ଆସିଛି। କ୍ବିକ୍ କମର୍ସର ଏହି ଦ୍ରୁତ ବିସ୍ତାର ନିବେଶକ ଏବଂ ଉଦ୍ୟୋଗୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଦୁଇ ଜଣ ଛାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଜେପ୍‌ଟୋ ନିକଟରେ ଲାଇଟ୍‌ସ୍ପିଡ୍ ଭେଞ୍ଚର ପାର୍ଟନର୍ସ ଏବଂ ଡିଏସ୍‌ଟି ଗ୍ଲୋବାଲଠାରୁ ଅତିରିକ୍ତ ପାଣ୍ଠି ହାସଲ କରି ଏହାର ମୂଲ୍ୟ ୫ ବିଲିୟନ ଡଲାରକୁ ବୃଦ୍ଧି କରିଛି। କୋଭିଡ୍-୧୯ ମହାମାରୀ ସମୟରେ ଘରେ ଫସି ରହିଥିବା ଏହି ଦୁଇ ପ୍ରତିଷ୍ଠାତା ଏକ ଉଦୀୟମାନ ଉପଭୋକ୍ତା ମାନସିକତାକୁ ଉପଯୋଗ କରି ଜେପ୍‌ଟୋକୁ ସୃଷ୍ଟି କରିଛନ୍ତି।