ଏବେ ଟାର୍ଗେଟ୍‌ରେ ବୋର୍ଡ, ଢାଞ୍ଚା ବଦଳାଇଦେବେ

ଡିସେମ୍ବର ୧୪ରେ ହେବ ଆଲୋଚନା, ଆହୁରି ବିଗିଡ଼ିପାରେ ସମ୍ପର୍କ

ନୂଆଦିଲ୍ଲୀ: ଯୋଜନା ଆୟୋଗକୁ ଭାଙ୍ଗି ନିତି ଆୟୋଗ କରିଦେଲେ। ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ନିର୍ବାଚନ କମିସନ ଓ ସିବିଆଇ ପର୍ଯ୍ୟନ୍ତ ଅନେକ ସ୍ବାଧୀନ ଅନୁଷ୍ଠାନକୁ ନିଜ ଅନୁସାରେ ଚଲାଇବାକୁ ପ୍ରୟାସ କଲେ। ଏହା ପରେ ରିଜର୍ଭ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି। ମୁଦ୍ରାନୀତିରେ ରିଜର୍ଭ ବ୍ୟାଙ୍କର ଯେଉଁ ସ୍ବାଧୀନତା ଥିଲା ତାହାକୁ ହରଣ କରି ମୁଦ୍ରାନୀତି କମିଟି ଗଠନ କରିଦେଲେ। ଏବେ ଏହା ପାଖରେ ଥିବା ଅନ୍ୟାନ୍ୟ କ୍ଷମତାଗୁଡ଼ିକୁ ମଧ୍ୟ ସଙ୍କୁଚିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ସେଥିପାଇଁ କିଛି ମାସ ହେଲାଣି ନିରନ୍ତର ଉଦ୍ୟମ ଜାରି ରହିଛି। ରିଜର୍ଭ ବ୍ୟାଙ୍କ ଉପରେ କଠୋର ‘ଧାରା ୭’ ପ୍ରଥମ ଥର ପାଇଁ ଲାଗୁ କରିଥିବା ମୋଦୀ ସରକାର ଏବେ ଏହାର ବୋର୍ଡର ଢାଞ୍ଚାକୁ ବଦଳାଇବାକୁ ଚାହୁଁଛନ୍ତି। ଆସନ୍ତା ଡିସେମ୍ବର ୧୪ରେ ‌ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଆଲୋଚନା ଉଭୟ ପକ୍ଷ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇପାରେ ବୋଲି କୁହାଯାଉଛି।

ରିଜର୍ଭ ବ୍ୟାଙ୍କ ବୋର୍ଡରେ ୧୮ ଜଣ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି ମନୋନୀତ ସଦସ୍ୟ। ବୋର୍ଡ ବିଭିନ୍ନ ପ୍ରକାର ପରାମର୍ଶ ଦେବା କାମ କରିଥାଏ। ମାତ୍ର ଚୂଡ଼ାନ୍ତ ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଓ ଅନ୍ୟ ଡେପୁଟି ଗଭର୍ଣ୍ଣରମାନେ ନେଇଥାନ୍ତି। ବୋର୍ଡର ଢାଞ୍ଚାରେ ପରିବର୍ତ୍ତନ ଆଣି ରିଜର୍ଭ ବ୍ୟାଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷ୍‌ଣ ନଜର ରଖିବାକୁ ଚାହୁଁଛନ୍ତି ବୋଲି ଆଲୋଚନା ହେଉଛି। ବୋର୍ଡରେ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିବା ସଦସ୍ୟମାନେ ପୂର୍ବରୁ କହିସାରିଛନ୍ତି ଯେ, କେତେକ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କର ନିରୀକ୍ଷଣ ବ୍ୟବସ୍ଥା ଏତେଟା ଦୃଢ଼ ନୁହେଁ। ସେଥିପାଇଁ ରିଜର୍ଭ ବ୍ୟାଙ୍କ ବୋର୍ଡର ଢାଞ୍ଚା ବଦଳାଇବା ଉପରେ ସରକାର ବିଚାର କରୁଛନ୍ତି। ଏକ ଟିଭି ସାକ୍ଷାତକାରରେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି, ଅଧିକ ଲାଭାଂଶ ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ସରକାର କହିବେ। କାରଣ ନିର୍ବାଚନ ବର୍ଷ ପୂର୍ବରୁ ବଜେଟ୍‌ରେ ରହିଥିବା ନିଅଣ୍ଟକୁ ସରକାର ଦୂର କରିବାକୁ ଚାହୁଁଛନ୍ତି।
ଚଳିତ ମାସ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କର ଯେଉଁ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ସେଠାରେ ଦୁଇ ପକ୍ଷ ମଧ୍ୟରେ ରହିଥିବା ବିବାଦର ସମାଧାନ ହୋଇଗଲା ବୋଲି କୁହାଯାଉଥିଲା। ମାତ୍ର ଗର୍ଗଙ୍କ କଥାରୁ ଯାହା ଜଣାପଡ଼ୁଛି ବିବାଦ ଆଦୌ ସମାଧାନ ହୋଇନାହିଁ। ସରକାର ଏତେ ସହଜରେ ରିଜର୍ଭ ବ୍ୟାଙ୍କ ପିଛା ଛାଡ଼ିବେ ନାହିଁ। ଡିସେମ୍ବର ୧୪ ବୈଠକରେ ସମ୍ପର୍କ ଆହୁରି ଖରାପ ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର