ଏଣିକି ଟ୍ରେନରେ ମିଳିବ ଲୋକପ୍ରିୟ କମ୍ପାନିର ଖାଦ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳରେ ଏଣିକି ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡର ରେଡି-ଟୁ-ଇଟ୍‌ ଖାଦ୍ୟ ମିଳିବ । ଏଥିଲାଗି ଖୁବଶୀଘ୍ର ରେଳବାଇ ପକ୍ଷରୁ ଟେଣ୍ଡର ଡକାଯିବ । ରେଳଯାତ୍ରୀଙ୍କୁ ନିରାପଦ ଖାଦ୍ୟ ଯୋଗାଣ ତଥା ରେଳରେ ଥିବା ପାଣ୍ଟ୍ରି କାର୍‌ ଉପରୁ ଚାପ କମାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।

କେତେକ ଜାତୀୟ ସ୍ତର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରେଳେଓ୍ଵ କାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ରେଳବାଇର କ୍ୟାଟରିଂ ବ୍ୟବସାୟକୁ ଅନ୍ୟ କମ୍ପାନିମାନଙ୍କ ପାଇଁ ଖୋଲିଦେବାକୁ ଯୋଜନା ଚୂଡ଼ାନ୍ତ କରିଛି । ଏଣୁ ଖୁବଶୀଘ୍ର ଆଇଆରସିଟିସି ତରଫରୁ ଏନେଇ ଜାତୀୟ ସ୍ତରର ଟେଣ୍ଡର ଡକାଯିବ । ତେବେ ଗୋଟିଏ କମ୍ପାନି ରେଳବାଇ ପରି ବିଶାଳ ସଂସ୍ଥାର ଚାହିଦା ପୂରଣ କରିପାରିବାର ସମ୍ଭାବନା କମ ଥିବାରୁ ଜୋନ ଅନୁସାରେ କିମ୍ବା ଟ୍ରେନ ଅନୁସାରେ ଏହି ଟେଣ୍ଡର ଡକାଯିବ ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ପ୍ରମୁଖ କମ୍ପାନି ଯଥା ନେସଲେ, ଅମୁଲ, ଆଇଟିସି, ବାମ୍ବିନୋ, ବ୍ରିଟାନିଆ, ଡାବର, ହଲଦିରାମ, କୋହିନୂର ଫୁଡ୍ସ ଆଦି ଏହି ଟେଣ୍ଡରରେ ଭାଗନେବାର ସମ୍ଭବନା ରହିଛି ।

ରେଳବାଇ ଗତ ବର୍ଷ ପରୀକ୍ଷାମୂଳକ ଭାବେ କେତୋଟି ନିର୍ଦ୍ଦିଷ୍ଟ ଟ୍ରେନରେ ରେଡି-ଟୁ-ଇଟ୍‌ ଫୁଡ ବା ପ୍ରାକ୍‌ ପ୍ରସ୍ତୁତ ଖାଦ୍ୟର ବିତରଣ କରିଥିଲା ।
ସୂଚନାଯୋଗ୍ୟଯେ ଭାରତୀୟ ରେଳ ଦୈନିକ ପ୍ରାୟ ୨୩ ନିୟୁତ ଯାତ୍ରୀ ପରିବହନ କରେ । ଆହୁରି ମଧ୍ୟ ପ୍ରାୟ ୧.୧ ନିୟୁତ ମିଲ୍‌ ପରିବେଷଣ କରାଯାଏ । ଏହା ମଧ୍ୟରୁ ପ୍ରାୟ ୧ ନିୟୁତ ଯାତ୍ରୀଙ୍କ ସିଟ୍‌ ପାଖରେ ପ୍ରଦାନ କରାଯାଏ ।

ସମ୍ବନ୍ଧିତ ଖବର