ଏନ୍‌ପିଏ ପାଇଁ ୪୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଦେଶରେ ଥିବା ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ରେଟିଂ ଏଜେନ୍ସି କ୍ରିସିଲ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମାର୍ଚ ସୁଦ୍ଧା ଏନ୍‌ପିଏ ପରିମାଣ ୧୦ ଲକ୍ଷ ୩୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ୨୦୧୭ ମାର୍ଚରେ ଏନ୍‌ପିଏ ପରିମାଣ ୮ ଲକ୍ଷ କୋଟି ଟଙ୍କା ଥିଲା। ଗତବର୍ଷ ଏନପିଏ ହାର ୧୧.୨% ଥିଲା। ଚଳିତ ବର୍ଷ ତାହା ୧୧.୫%ରେ ପହଞ୍ଚିଯିବ ବୋଲି କ୍ରିସିଲ୍‌ ଆକଳନ କରିଛି। ରିପୋର୍ଟରେ କୁହାଯାଇଛି ଯେ ବ୍ୟାଙ୍କଗୁଡ଼ିକ ବର୍ଦ୍ଧିତ ଏନ୍‌ପିଏ ଯୋଗୁଁ ୪୦ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। କାରଣ ଅନାଦେୟ ଋଣ ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କଗୁଡ଼ିକର ଲାଭର କିଛି ଭାଗ ଅଲଗା ରଖିଥାନ୍ତି। ତାହାକୁ ପ୍ରୋଭିଜନିଂ କୁହାଯାଉଛି। ଏନପିଏ ପ୍ରୋଭିଜନିଂ ବଢ଼ିଥିବାରୁ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ିଛି। ବିଗତ ତିନିଟି ଆର୍ଥିକ ବର୍ଷରେ ମୋଟ ୧୩.୫ ଲକ୍ଷ କୋଟି ଟଙ୍କାର ଋଣ ରାଶି ଏନ୍‌ପିଏ ବର୍ଗରେ ସାମିଲ ହୋଇଥିଲା। କେବଳ ଗତବର୍ଷ ୫ ଲକ୍ଷ କୋଟି ଟଙ୍କାର ଋଣ ଏନ୍‌ପିଏରେ ଯୋଡ଼ି ହୋଇଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ପୁନର୍ଗଠନ ସ୍କିମ୍‌ଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବା ପରେ ଅନେକ ଋଣ ରାଶି ଏନ୍‌ପିଏ ବର୍ଗରେ ସାମିଲ ହୋଇଥିଲା। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଲାଗୁ ହେବା ପରେ ରିଜର୍ଭ ବ୍ୟାଙ୍କ ସବୁ ପ୍ରକାର ଋଣ ପୁନର୍ଗଠନ ସ୍କିମ୍‌କୁ ହଟାଇ ନେଇଥିଲେ। ଜଟିଳ ଏନ୍‌ପିଏ ମାମଲାଗୁଡ଼ିକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ ପାଖକୁ ପଠାଇ ଦିଆଯାଉଛି। ପାଖାପାଖି ୩ ଲକ୍ଷ ୩୦ ହଜାର କୋଟି ଟଙ୍କାର ଏନ୍‌ପିଏ ମାମଲା ଏନ୍‌ସିଏଲ୍‌୍‌ଟି ପାଖରେ ପହଞ୍ଚିଛି। ସେଥି ମଧ୍ୟରୁ ଅଧିକ ମାମଲା ଇସ୍ପାତ କଂପାନି ବିରୋଧରେ ରହିଛି।

ସମ୍ବନ୍ଧିତ ଖବର