ବ୍ୟାଙ୍କ ମୁଖ୍ୟଙ୍କୁ ଘେରିଲା ସଂସଦୀୟ କମିଟି

ଗୁଡ଼େଇତୁଡ଼େଇ ପ୍ରଶ୍ନ କଲେ, ନିରବ ମୋଦି, ଚନ୍ଦା କୋଚ୍ଚର ସମ୍ପର୍କରେ ପଚାରିଲେ

ନୂଆଦିଲ୍ଲୀ: ଏନ୍‌ପିଏ ଜାଲରେ ଛନ୍ଦି ହୋଇପଡ଼ିଥିବା ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ଆଜି ଏକ ସଂସଦୀୟ କମିଟିର କଡ଼ା ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି। ଏନ୍‌ପିଏ ସମସ୍ୟା ଓ ବ୍ୟାଙ୍କଗୁଡ଼ିକରେ ହେଉଥିବା ଜାଲିଆତି ଓ ଠକେଇକୁ ନେଇ କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିିିଛି। ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସର ବରିଷ୍ଠ ସାଂସଦ ଏମ୍‌ ବିରପ୍ପା ମୋଇଲିଙ୍କ ନେତୃତ୍ୱରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ଓ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ମୁଖ୍ୟ ସୁନିଲ ମେହତାଙ୍କୁ ବହୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। ନିରବ ମୋଦିଙ୍କ ଦ୍ୱାରା କରାଯାଇଥିବା ଠକେଇ ବିଷୟରେ ପିଏନ୍‌ବି ମୁଖ୍ୟଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା।

ଆଇସିଆସିଆଇ ବ୍ୟାଙ୍କରେ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚର ନିଜ ଆତ୍ମୀୟଙ୍କୁ ଅଧିକ ଅନୁଗ୍ରହ ଦେଖାଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତା’ ଉପରେ ମଧ୍ୟ କମିଟିର ସଦସ୍ୟମାନେ ପ୍ରଶ୍ନ କରିଛନ୍ତି। କିଭଳି ଏନ୍‌ପିଏ ସମସ୍ୟାର ସମାଧାନ ହେବ ତାହା ଜଣାଇବାକୁ ବ୍ୟାଙ୍କ ମୁଖ୍ୟମାନଙ୍କୁ କମିଟି ପକ୍ଷରୁ କୁହାଯାଇଛି। ଏନେଇ ସ୍ୱତନ୍ତ୍ର ନକ୍ସା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଏନ୍‌ପିଏ ମାମଲା ବିଷୟରେ ଆଲୋଚନା ବେଳେ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଖିଲାପି ଭାବେ ଚିତ୍ରଣ କରାଯାଉଛି। ସବୁ କର୍ପୋରେଟ୍‌ ସଂସ୍ଥା ସେଭଳି ନୁହନ୍ତି। ତେଣୁ କେଉଁମାନେ ଉଦ୍ଦେଶ୍ୟମୂଳକ ଖିଲାପି ଓ କେଉଁମାନେ ନୁହନ୍ତି, ତାହାର ବର୍ଗୀକରଣ କରିବାକୁ ବ୍ୟାଙ୍କ ମୁଖ୍ୟମାନଙ୍କୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଚଳିତ ମାସରେ ଏହି କମିଟିରେ ହାଜର ହେବେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୮ ଲକ୍ଷ ୩୧ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି।

୨୮ ହଜାର କୋଟିର ଏନ୍‌ପିଏ ବିକ୍ରି ହେବ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି କିଛି ବଡ଼ ବ୍ୟାଙ୍କ ୨୮ ହଜାର କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବେ। ଷ୍ଟେଟ୍‌ ବ୍ୟାଙ୍କ ୧୩୨୫ କୋଟି ଟଙ୍କା ଓ ଆଇସିଆସିଆଇ ବ୍ୟାଙ୍କ ୨୩୩୦ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବେ। ମୋଟ ସାତଟି ବ୍ୟାଙ୍କ ନିଜ ଏନ୍‌ପିଏର କିଛି ଭାଗ ବିକ୍ରି କରି ଆର୍ଥିକ ସ୍ଥିତି ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟ କିଛି ବ୍ୟାଙ୍କ ଏନ୍‌ପିଏ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର