ଦେଶର ଅଭିବୃଦ୍ଧି ହାର ହ୍ରାସ ପାଉଥିବାରୁ ଇଟାଲି ଭଳି ଏନ୍‌ପିଏ ସଙ୍କଟରେ ପଡ଼ିପାରେ ଭାରତ

ନୂଆଦିଲ୍ଲୀ : ଭାରତରେ ଅସୁଲ ହୋଇପାରୁନଥିବା ଋଣ (ଏନ୍‌ପିଏ) ପରିମାଣ ବଢ଼ିଚାଲିଛି। ଦେଶର ଅଭିବୃଦ୍ଧି ହାର ୫% ଭଳି ସ୍ତରକୁ ଖସିଯାଇଥିବାରୁ ଏହି ସ୍ଥିତି ଆହୁରି ଖରାପ ହେବ ବୋଲି ବିଶ୍ବ ସ୍ତରୀୟ ସଂସ୍ଥା କ୍ରେଡିଟ୍ ସୁଇସ୍‌ ଆକଳନ କରିଛି। ଏନ୍‌ପିଏ ମୁକାବିଲାରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଦେଶ ଭିତରେ ଇଟାଲି ଏକ ନମ୍ବର ସ୍ଥାନରେ ରହିଛି। ଖୁବ୍‌ଶୀଘ୍ର ଭାରତ ସେହି ସ୍ଥାନରେ ପହଞ୍ଚିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

କ୍ରେଡିସ୍‌ ସୁଇସ୍‌ର ତଥ୍ୟ ଅନୁଯାୟୀ, ଭାରତର ଏନ୍‌ପିଏ ହାର ୯.୬% ରହିଛି। ବିଗତ କିଛି ବର୍ଷ ଭିତରେ ଏଥିରେ ବିଶେଷ ଉନ୍ନତି ହୋଇନାହିଁ। ଅପର ପକ୍ଷରେ, ଗତ ତିନି ବର୍ଷ ଭିତରେ ଇଟାଲି ଏହାର ଏନ୍‌ପିଏ ହାରକୁ ୮.୫% ସ୍ତରକୁ ଖସାଇବାରେ ସଫଳ ହୋଇଛି। ଏନ୍‌ପିଏ ସ୍ଥିତିରେ ଉନ୍ନତି ଆଣିବାରେ ଭାରତର ଉଦ୍ୟମକୁ ମନ୍ଥର ଅଭିବୃଦ୍ଧି ପ୍ରଭାବହୀନ କରିଦେଇଛି। ଏହା ବ୍ୟତୀତ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟ ଯୋଗୁ ଆର୍ଥିକ ବଜାରରେ ନଗଦ ରାଶିର ଘୋର ଅଭାବ ଦେଖାଦେଇଛି। ସେଥିପାଇଁ ଆଗାମୀ ଦିନରେ ଭାରତରେ ଏନ୍‌ପିଏ ହାର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। କାରଣ, ଯେତେବେଳେ ଦେଶର ଅଭିବୃଦ୍ଧି ହ୍ରାସ ପାଏ ସେହି ସମୟରେ ଲୋକମାନେ ଋଣ ପରିଶୋଧ କରିବାକୁ ସଂଘର୍ଷ କରନ୍ତି। ତେଣୁ ଏନ୍‌ପିଏ ପରିମାଣ ବଢ଼ିଥାଏ।

ଇନସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କ୍ଷେତ୍ରରେ ମଧ୍ୟ ଭାରତ ବିଶେଷ ସଫଳତା ପାଇନାହିଁ। ୨୦୧୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୨ଟି ବଡ଼ ଋଣ ଖିଲାପୀକାରୀଙ୍କ ମାମଲାର ସମାଧାନ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଥିଲା। ସେଥି ମଧ୍ୟରୁ ମାତ୍ର ୬ଟି ମାମଲାର ସମାଧାନ ହୋଇପାରିଛି। ୨୭୦ ଦିନ ଭିତରେ ସବୁ ମାମଲାର ବିଚାର ଶେଷ କରିବାକୁ ରିଜର୍ଭ ବ୍ୟାଙ୍କ ସମୟ ସୀମା ଧାର୍ଯ୍ୟ କରିଥିଲା। କିନ୍ତୁ ସେହି ଲକ୍ଷ୍ୟ ହାସଲ ହୋଇପାରିନାହିଁ।

ଏନ୍‌ପିଏ ମୁକାବିଲା କ୍ଷେତ୍ରରେ ଭାରତ ଓ ଇଟାଲିର ବ୍ୟାଙ୍କ ଭିତରେ ଏକ ବଡ଼ ଧରଣର ଅନ୍ତର ଦେଖିବାକୁ ମିଳିଛି। ଇଟାଲିର ବଡ଼ ବ୍ୟାଙ୍କଗୁଡ଼ିକ ଏନ୍‌ପିଏ ଖାତାଗୁଡ଼ିକୁ ରିହାତି ଦାମ୍‌ରେ ଅନ୍ୟ ସଂସ୍ଥାକୁ ବିକ୍ରି କରୁଛନ୍ତି। ମାତ୍ର ଭାରତୀୟ ବ୍ୟାଙ୍କଗୁଡ଼ିକ ସେଭଳି ପଦକ୍ଷେପ ନେବାକୁ କୁଣ୍ଠିତ।

ସମ୍ବନ୍ଧିତ ଖବର