ବ୍ୟବହାରକାରୀଙ୍କ ଠାରୁ ଆଦାୟ ହେଵନାହିଁ କୌଣସି ଚାର୍ଜ, ସ୍ପଷ୍ଟ କଲା ଏନପିସିଆଇ

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାରକୁ ନେଇ ଆଜି ଏକ ବଡ ସୂଚନା ଦେଇଛି | ଏପ୍ରିଲ୍ ୧, ୨୦୨୩ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ଏନପିସିଆଇ ସ୍ପଷ୍ଟୀକରଣ ଜାରି କରିଛି। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଆଦାୟ ରିପୋର୍ଟକୁ ଏନପିସିଆଇ ଅସ୍ୱୀକାର କରିଛି | ଏନପିସିଆଇ କହିଛି ଯେ ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ। ଏନପିସିଆଇ କହିଛି ଯେ ଏଥିପାଇଁ ବ୍ୟାଙ୍କ କିମ୍ବା ଗ୍ରାହକଙ୍କୁ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ | ଏନପିସିଆଇ କହିଛି ଯେ ଚାର୍ଜ କେବଳ ପିପିଆଇ(ପ୍ରିପେଡ ପେମେଂଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ) ଉପରେ ପ୍ରଯୁଜ୍ୟ ହେବ ଏବଂ ଏଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ |

ୟୁପିଆଇ ଅନୁଯାୟୀ, ପ୍ରତ୍ୟେକ ମାସରେ ୮ ବିଲିୟନ ୟୁପିଆଇ କାରବାର ଦେଶର ଗ୍ରାହକ ଏବଂ ବ୍ୟବସାୟୀମାନଙ୍କ ପାଇଁ ବିନା ମୂଲ୍ୟରେ ପ୍ରକ୍ରିୟାକରଣ କରାଯାଏ | ପୂର୍ବରୁ ସୂଚନା ମିଳିଥିଲା ଯେ ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ନିଷ୍ପତ୍ତି ନେଇଛି। ପ୍ରିପେଡ୍ ପେମେଣ୍ଟ୍‌ ଇନଷ୍ଟ୍ରୁମେଣ୍ଟ୍‌କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍‌ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଯାହାକୁ ନେଇ ୟୁପିଆଇ ବ୍ୟବହାରକାରୀ ଚିନ୍ତାରେ ପଡିଯାଇଥିଲେ | ତେବେ ବର୍ତ୍ତମାନ ଏନପିସିଆଇ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି କହିବା ପରେ ବ୍ୟବହାରକାରୀ ଆଶ୍ୱସ୍ତ ହୋଇଛନ୍ତି |

ସମ୍ବନ୍ଧିତ ଖବର