ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଫଳରେ ଦିନକୁ ଦିନ ଠକେଇ ବଢ଼ିବାରେ ଲାଗିଛି। ଏବେ କଲ୍ ମର୍ଜିଂ ଭଳି ନୂଆ ସ୍କାମ ଆସିଛି। ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ସ୍କାମ ସଂପର୍କରେ ଲୋକଙ୍କୁ ସତର୍କ କରାଇଛି। ୱାନ ଟାଇମ୍ ପାସ୍ୱାର୍ଡ (ଓଟିପି) ଚୋରି କରି ଟଙ୍କା ହାତେଇବା ପାଇଁ ଅପରାଧୀମାନେ ଫୋନର କଲ୍ ମର୍ଜ ସୁବିଧାର ଦୁରୁପଯୋଗ କରୁଛନ୍ତି। ଏଥିପ୍ରତି ସତର୍କ ରହିବାକୁ ଏନ୍ପିସିଆଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛି। ଏପରିକି ସେହି ପୋଷ୍ଟକୁ ପ୍ରସାର କରି ସଚେତନତା ସୃଷ୍ଟି କରିବା ଲାଗି ମଧ୍ୟ ଏନ୍ପିସିଆଇ ପରାମର୍ଶ ଦେଇଛି। ଠକମାନେ ସନ୍ଦେହ କରୁ ନଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ଫୋନ କଲ୍ କରି କୌଣସି ବିଷୟ କିମ୍ବା ସୁଯୋଗ ସଂପର୍କରେ ସୂଚନା ଦେଉଛନ୍ତି।
ଏଥିସହିତ ସେମାନେ ତାଙ୍କ ଟେଲିଫୋନ ନମ୍ବର ଜଣେ ବନ୍ଧୁଙ୍କ ଠାରୁ ପାଇଲେ ବୋଲି କହୁଛନ୍ତି। ଏହାପରେ ସେମାନେ ଫୋନ୍ କଲ୍କୁ ସେହି ବନ୍ଧୁଙ୍କ ସହିତ ମର୍ଜ କରିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣକ ହେଉଛି ଆଉ ଜଣେ ଠକ। କଲ୍ ମର୍ଜ ହୋଇଯିବା ପରେ ପୀଡ଼ିତଙ୍କ ଅଜାଣତରେ ବ୍ୟାଙ୍କର ଓଟିପି ଯାଞ୍ଚ କଲ୍ ସହିତ ତାହା ଯୋଡ଼ି ହୋଇଯାଉଛି। ଏହାଦ୍ବାରା ଅଣସ୍ବୀକୃତ ବ୍ୟାଙ୍କିଂ କାରବାର ହେଉଛି। ଓଟିସି ସେୟାର ହୋଇଯିବା ମାତ୍ରେ ଠକ ଟଙ୍କା ନେଇ ଯାଉଛନ୍ତି। ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଏନପିସିଆଇ କେତେକ ପରାମର୍ଶ ଦେଇଛି। ସେଗୁଡ଼ିକ ହେଲା ଅଜଣା ନମ୍ବର ସହିତ କଲ୍ ମର୍ଜ କରନ୍ତୁ ନାହିଁ। ଯଦି କେହି କଲ୍ ମର୍ଜ କରିବା ପାଇଁ ଜିଦି ଧରୁଛି ତା’ହେଲେ ସେଥିପ୍ରତି ସତର୍କ ରୁହନ୍ତୁ। କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣନ୍ତୁ। ଯଦି ଜଣେ କେହି କହୁଛି ତୁମ ବ୍ୟାଙ୍କରୁ ଫୋନ କରୁଛି ତା’ହେଲେ କୌଣସି ସୂଚନା ଦେବା ପୂର୍ବରୁ ତାଙ୍କ ପରିଚୟ ଜାଣନ୍ତୁ। ବ୍ୟାଙ୍କଗୁଡ଼ିକ କୌଣସି ସମୟରେ ଫୋନରେ ଓଟିପି ମାଗନ୍ତି ନାହିଁ। ଯଦି କେହି ଓଟିପି ପାଇଁ ଅନୁରୋଧ କରନ୍ତି ତା’ହେଲେ ସେ ଠକ ହୋଇଥିବେ। କୌଣସି କଲ୍ ବା କାର୍ଯ୍ୟ ସନ୍ଦେହ ହେଲେ ସେ ସଂପର୍କରେ ନ୍ୟାସନାଲ ସାଇବରକ୍ରାଇମ ହେଲପଲାଇନକୁ ୧୯୩୦ରେ କଲ୍ କରନ୍ତୁ ଏବଂ ଆପଣଙ୍କ ବ୍ୟାଙ୍କକୁ ତୁରନ୍ତ ସୂଚନା ଦିଅନ୍ତୁ।