ମୁମ୍ବାଇ: ଦେଶରେ ଏନ୍‌ପିଏସ୍‌ ଇଣ୍ଟର‌ମିଡିଆରିଜ୍‌ ଆସୋସିଏସନ୍ (ଏଏନ୍‌ଆଇ) ଗଠନ କରାଯାଇଛି। ମୁମ୍ବାଇର ଇନସ୍ୟୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସଂଘର ଲୋଗୋକୁ ପିଏଫ୍‌ଆର୍‌ଡିଏର ଅଧ୍ୟକ୍ଷ ଡ ଦୀପକ ମହାନ୍ତି ଉଦ୍‌ଘାଟନ କରିଥିଲେ। ନ୍ୟାସନାଲ ପେନସନ୍ ସିଷ୍ଟମ (ଏନ୍‌ପିଏସ୍‌) ସହ ଜଡ଼ିତ ବିଭିନ୍ନ ପକ୍ଷ ଏଥିରେ ଯୋଡ଼ିହୋଇ ଏନ୍‌ପିଏସ୍‌ର ଅଭିବୃଦ୍ଧି ପାଇଁ କାମ କରିବେ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ସଚିବ ଆଭାସୀ ମାଧ୍ୟମରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ଅବସରକାଳୀନ ଜୀବନ ପାଇଁ ଆଗୁଆ ପେନସନ ଯୋଜନାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

Advertisment

ଏହି ସଂଘ ଗଠନ ପେନସନ୍‌ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଡ ମହାନ୍ତି କହିଥିଲେ। ନିକଟ ଅତୀତରେ ଏନ୍‌ପିଏସ୍‌ରେ ବଡ଼ଧରଣର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଅଧୀନରେ ୧୩.୮ ଲକ୍ଷ କୋଟି ଟଙ୍କାର ସଂପତ୍ତି ପରିଚାଳନା ହେଉଛି। ଏଥିସହିତ ଅଟଳ ପେନସନ ଯୋଜନା ଓ ଏନ୍‌ପିଏସ୍‌ର ସଦସ୍ୟ ସଂଖ୍ୟା ୮ କୋଟିରେ ପହଞ୍ଚିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି, ଷ୍ଟେଟ ବ୍ୟାଙ୍କ ଏମ୍‌ଡି ରାମ ମୋହନ ରାଓ ଆମାରା ଏବଂ ଆକ୍ସିସ ବ୍ୟାଙ୍କ ଏମ୍‌ଡି ଅମିତାଭ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ।